Unknown

 

 

 

 

 

 

 

 

 

ଦୁଇ ଅଧ୍ୟାୟ

ଚିତ୍ତରଞ୍ଜନ ଦାସ

 

ଜାତୀୟ ଆନ୍ଦୋଳନ, କଟକ ଜେଲ୍, ଓ ମୋର କବିତା

 

ବାଗଲପୁର ଗାଅଁ ମୋ ନିଜ ଗାଅଁ । ପ୍ରଧାନତଃ ସେହିକାରଣରୁ ଏହି ଗାଅଁଟି ମୋତେ ଏକାଧିକ ଦୃଷ୍ଟିରୁ ଅନ୍ୟୂନ ଓ ଅସାଧାରଣ ଲାଗେ ।

ବାଗଲପୁରରେ ଲୋକମାନେ ଗୋଟିଏ ଗୋଷ୍ଠୀପରି ଏହି ଆନ୍ଦୋଳନ ପକ୍ଷରେ ରହିଛନ୍ତି, ଯେତେବେଳେ ଗାଆଁଟାଯାକ ଏକ ହୋଇଛନ୍ତି, ସେତେବେଳେ ପୋଲିସ୍ ପ୍ରବଳ ପ୍ରତିରୋଧର ଆଶଙ୍କା କରି ଆମ ଗାଆଁକୁ ପଶିବାକୁ ସାହସ କରୁ ନଥାଏ, କେତେଥର ସରକାରଙ୍କ ତରଫରୁ ଆମ ଗାଆଁ ଉପରେ ଉଡ଼ାଜାହାଜ ଆସି ଉଡ଼ିଲା । ପ୍ରାୟ ଦୁଇଶହ ପୋଲିସଙ୍କୁ ନେଇ ସେହି ବିଭାଗର ଜଣେ ଉଚ୍ଚକର୍ତ୍ତା ଗାଆଁ ଭିତରେ ଆସି ପହଞ୍ଚିଲେ । କେହି ଆତଙ୍କିତ ହେଲେ ନାହିଁ, ଉତ୍ତେଜିତ ବି ହେଲେ ନାହିଁ । ଗୌରିଭାଇ ଗିରଫଲାଗି ପ୍ରସ୍ତୁତ ହୋଇ ଦୋଳବେଦୀ ପାଖକୁ ଚାଲିଆସିଲେ । ସବୁକାର୍ଯ୍ୟ ପ୍ରାୟ ଦୁଇ ମିନିଟରେ ସମାପ୍ତ ହୋଇଗଲା । ଗୌରିଭାଇ ପୋଲିସ ଗହଣରେ ଚାଲିଲେ । ସେ ଚାଲି ଯାଉଥାନ୍ତି ଏବଂ ‘ଭାରତମାତା କି ଜୟ’ ‘ମହାତ୍ମା ଗାନ୍ଧୀ କି ଜୟ’ ବୋଲି ନାରାମାନ ଦେଉଥାନ୍ତି । ଗ୍ରାମବାସୀ ପଛରେ ଥାଇ ତାହାର ପୁନରାବୃତ୍ତି କରୁଥାନ୍ତି । ମୁଁ ମଧ୍ୟ ସେଇ ଭିଡ଼ ଭିତରେ ପଛରେ ଥାଏ । ଏହାର ଅଳ୍ପ ଦିନ ପରେ କଟକରେ ନିଜର ଆତ୍ମ ଗୋପନ କରି ରହିଥିବା ସ୍ଥାନରୁ ଶ୍ରୀଯୁକ୍ତ ସୁରେନ୍ଦ୍ର ନାଥ ଦ୍ଵିବେଦୀଙ୍କୁ ଗିରଫ କରି ନିଆଗଲା । ଅର୍ଥାତ୍, ଆନ୍ଦୋଳନର ଅସଲ ଓ ଗୁପ୍ତ କେନ୍ଦ୍ରଟି ବନ୍ଦ ହୋଇଗଲା । ଆମେ ଯେଉଁମାନେ ବାକି ରହିଲୁ, ଆମେ ବି ଗିରଫ ହେବାକୁ ମନେ ମନେ ତିଆରି ହୋଇଗଲୁ । ଦିନେ ସନ୍ଧ୍ୟାବେଳେ ଗାଆଁରୁ ଆମେ ଛଅଜଣ ଗୋଟିଏ ଦଳରେ ବାହାରିପଡ଼ିଲୁ । କଟକ ରାସ୍ତାରେ ବାହାରିପଡ଼ିଲୁ । ପ୍ରାୟ ପାହାନ୍ତା ପହରକୁ ବିରିଡ଼ି ହାଟର ଗୋଟିଏ ଚାଳିଘରେ ଶୋଇପଡ଼ିଲୁ । ହାଟରେ ଗଞ୍ଜେଇ ଅଫିମ ବିକ୍ରି ଦୋକାନରେ ପିକେଟିଙ୍ଗ୍ ଆରମ୍ଭ କରିଦେଲୁ । ଅନତି ଦୂରରେ ଥାନା । ଆମେ ଗାଆଁ ମନ୍ଦିରରେ ଡେରା ପକାଇଲୁ ରୋଷେଇବାସ କରି ଖାଇଲୁ । ଥାନା ଭିତରେ ଅନଧିକାର ପ୍ରବେଶ କରିବାର ଅପରାଧରେ ଗିରଫ କରି ହାଜତରେ ରଖାଗଲା । ତହିଁ ପରଦିନ ପୋଲିସ୍ ଜଗୁଆଳ ଥାଇ ଉପରଓଳି ଆମକୁ ବସରେ ବସାଇ କଟକ ଅଣାଇଲା । ପ୍ରଥମେ ହାଜତରେ ରଖି ତା’ ପରେ ମାଜିଷ୍ଟ୍ରେଟ୍‍ଙ୍କ ଆଗରେ ହାଜର କରାଗଲା । ସେଠି କାଲି ବସ୍‍ରେ ଆମେ କଟକ ଜେଲକୁ ଆସିଲୁ । .ଔପଚାରିକ ଅଭ୍ୟର୍ଥନା ବିଧି ସମାପ୍ତ ହେବା ପରେ ଆମକୁ ଜେଲର ଆଠ ନମ୍ବର ୱାର୍ଡକୁ ପଠାଇ ଦିଆଗଲା ।

ଆଠ ନମ୍ବର ହେଉଛି ମୋ’ର ପୂର୍ବ ପରିଚିତ ୱାର୍ଡ । ୧୯୩୯ ମସିହାରେ ଛାତ୍ର ଧର୍ମଘଟ ସମୟରେ ମୁଁ ଏହି ୱାର୍ଡରେ ବନ୍ଦୀ ହୋଇ ରହିଥିଲି । ପରବର୍ତ୍ତୀ ଦେଢ଼ ବର୍ଷ ମୋ’ର ଏହି ୱାର୍ଡରେ ଅତିବାହିତ ହୋଇଥିଲା । ବିଚାର ସେଇ ଜେଲ୍ ଭିତରେ ହୋଇଥିଲା । ଆମକୁ ରାଜନୀତିକ ବନ୍ଦୀ ବୋଲି କୁହାଯାଉଥିଲା । ନିଜକୁ ସତେଅବା ସରକାରଙ୍କ ଅତିଥି ପରି ଲାଗୁଥିଲା-। ମୋ’ର ଜେଲ୍ ରହଣି ମୋ ପାଇଁ ଏକ ବିଦ୍ୟାଳୟ ପରି କାର୍ଯ୍ୟକଲା । ଏକ ଜୀବନ ତମାମ୍ ଶିକ୍ଷାର୍ଥୀ ଜୀବନ ଲାଗି ମୋ’ର ଉପନୟନ କରାଇଦେଲା । ଆଠ ନମ୍ବର ୱାର୍ଡରେ ଆମେ ପ୍ରାୟ ପଚାଶ ଜଣ ରାଜବନ୍ଦୀ ରହିଥାଉ,ଜୀବନରେ ଯାହାହେବ, କଟକ ଜେଲରେ ହିଁ ତାହାରି ଅନୁସାରେ ଏକ ଅୟମାରମ୍ଭ ହେଲା, ଏକ ମୂଳଦୁଆ ତିଆରି ହେଲା, ବାସନାର ମଞ୍ଜିଟିଏ ପୋତା ହୋଇ ରହିଲା । କଟକ ଜେଲ୍ ପାଖରେ ମୁଁ ଏଥିଲାଗି ଜୀବନଯାକ କୃତଜ୍ଞ ରହିଥିବି । ସତେ ଯେପରି ଅସଲ ବିଦ୍ୟାର ଘରେ ମୋୱାର ଆଗରୁ ଖଡ଼ିଛୁଆଁ ମଧ୍ୟ ହୋଇ ନଥିଲା, ଭଗବାନ ମୋତେ ଏଇ ନୂଆ ଇସ୍କୁଲଟିକୁ ଆଣି ମୋ’ ଭିତରେ ଏକ ଅତଳ ଜଳର ଆହ୍ଵାନ ସମ୍ଭବ କରାଇଦେଲେ ମୋ’ର ପିପାସାଗୁଡାକୁ ଏକ ବାଟ ଯୋଗାଇଦେଲେ ।

ଶ୍ରୀଯୁକ୍ତ ସଚ୍ଚିଦାନଦ ମିଶ୍ରଙ୍କ କକେଇ ଶ୍ରୀଯୁକ୍ତ ପ୍ରାଣନାଥ ମିଶ୍ର ମଧ୍ୟ ସେତେବେଳେ କଟକ ଜେଲରେ ଥାଆନ୍ତି । ଆମ ଦୁହିଁଙ୍କୁ ସିଏ ଦିନେ ଏକ ନୂତନ ମନ୍ତ୍ରଣା ଦେଲେ । ସେଇ ଥରେ କହିଲେ ଯେ, ମହାତ୍ମା ଗାନ୍ଧୀଙ୍କର ବହୁ ସଂଖ୍ୟକ ପୁସ୍ତକ ସେତେବେଳେ ଓଡିଆ ଭାଷାକୁ ଅନୁଦିତ ହୋଇ ନଥିଲା । ଯଦି ଆମେ ଦୁହେଁ ଜେଲ୍ ଭିତରେ ତାଙ୍କର କେତୋଟି ପୁସ୍ତକର ଓଡିଆ ଅନୁବାଦ କରି ଦିଅନ୍ତୁ, ତେବେ ଜେଲ୍ ରୁ ବାହାରିବା ପରେ ସେଗୁଡ଼ିକୁ ଛପାଇ ଦିଅନ୍ତେ, ଆମେ ଦୁହେଁ ମିଶି ମହାତ୍ମା ଗାନ୍ଧୀଙ୍କର ତିନୋଟି ପୁସ୍ତକ ସେହି ଜେଲରେ ହିଁ ଅନୁବାଦ କରିଦେଇଥିଲୁ ।

ଏହି ଜେଲ୍ ଜୀବନର ଲଗାତାର କେତୋଟି ମାସ ମୋ’ର କବିତା ଲେଖିବାକୁ ଇଚ୍ଛା ହେଲା । ୱାର୍ଡ ଭିତରେ ତ ସବୁବେଳେ ହୋ ହୋ ଲାଗି ରହିଥାଏ । ଗୋଟିଏ କଣକୁ କାନ୍ଥମୁହାଁ ହୋଇ ବସିଲେ ବହି ପଢ଼ିହୁଏ, ଅନୁବାଦ କରିହୁଏ, ମାତ୍ର କଦାପି କବିତା ଲେଖା ହୋଇ ପାରିନଥାନ୍ତା । ଗୋଟିଏ ମୋଟା ଖାତା ଯୋଗାଡ଼ କଲି କେବଳ କବିତା ଲେଖିବା ସକାଶେ । ଯେଉଁ ନେତୃସ୍ଥାନୀୟ ବ୍ୟକ୍ତିମାନେ ଏକାକୀ ଗୋଟିଏ ଗୋଟିଏ କୋଠରୀରେ ଅଟକବନ୍ଦୀର ବିଶେଷ ବ୍ୟବହାର ପ୍ରାପ୍ତ ହେଉଥାନ୍ତି, ସେମାନଙ୍କ ଭିତରୁ ଜଣକର ସହାୟତା ଲୋଡ଼ିଲି । ଶ୍ରୀଯୁକ୍ତ ରାମକୃଷ୍ଣ ପତି ରାଜୀ ହେଲେ । ମୋ’ ଖୁସିର ସୀମା ରହିଲା ନାହିଁ । ନିର୍ଦ୍ଧାରିତ ସେହି ସମୟଟିରେ ମୁଁ ଆଠ ନମ୍ବର ୱାର୍ଡରୁ ମୋ’ ଖାତାଟା ଧରି ବସାକୁ ଚାଲିଯାଏ । ଭିତରୁ କବାଟ ଆଉଜାଇ ଦିଏ, କବିତା ଲେଖେ । ଲେଖିବା ଆରମ୍ଭ କରେ ତ ଏକାବେଳେକେ କେତେ ପୃଷ୍ଠା ପରେ ଯାଇ କଲମ ଥୟ ଧରେ । ପ୍ରତ୍ୟହ ଚାରି ପାଞ୍ଚୋଟି କବିତା ଚାରି ପୃଷ୍ଠା କାଗଜରେ ଲେଖି ହୋଇ ଯାଏ । କୁଆଡୁ ଏକ ଉତ୍ସାହ ଆସେ କେଜାଣି ? କବିତାର ବିଷୟବସ୍ତୁ ସାଧାରଣତଃ ଦୁଇ ପ୍ରକାରର ଥାଏ । ସେତେବେଳେ କଲିକତା ଓ ତା’ର ଚତୁର୍ଦ୍ଦିଗରେ ଥିବା ଅଞ୍ଚଳଗୁଡିକରେ ଦାରୁଣ ଦୁର୍ଭିକ୍ଷ ଲାଗିଥାଏ। ଇଂରାଜୀ ଖବର କାଗଜ ‘ଷ୍ଟେଟସମ୍ୟାନ’ ରେ ତା’ର ବିବରଣୀମାନ ବାହାରୁଥାଏ । ଦୁର୍ଭିକ୍ଷ ପ୍ରପୀଡ଼ିତ ମନୁଷ୍ୟ ଜୀବନର କରାଳ ନମୁନାମାନ ମଧ୍ୟ ଛବି ଆକାରରେ ବାହାରୁଥାଏ । ପ୍ରତିଦିନ ଖବର କାଗଜ ପଢ଼ି ମୋ’ ଭିତରେ କେତେ ପ୍ରକାରର ପ୍ରତିକ୍ରିୟା ଆସୁଥାଏ । ଅସହାୟତାର, ସହାନୁଭବର, କ୍ରୋଧର, ବିଦ୍ରୋହର-ଏହିପରି ନାନା ପ୍ରକାରର ପ୍ରତିକ୍ରିୟା । ସେହି ପ୍ରତିକ୍ରିୟାଗୁଡ଼ିକ କବିତାର ଆକାରରେ ମୋ’ର ଚିତ୍ତପଟରେ ଉକୁଟି ଉଠୁଥାଏ । ଦ୍ଵିତୀୟତଃ ସେତେବେଳେ ସାମ୍ୟବାଦୀ ରୁଷିଆରେ ହିଟ୍‍ଲରଙ୍କର ଆକ୍ରମଣ ଚାଲିଥାଏ । ଗୋଟା ଇଉରୋପ ଭୂଖଣ୍ଡକୁ ଦଖଲ କରିସାରିଥିବାର ଦମ୍ଭ ବିକ୍ରମରେ ଜର୍ମାନ୍ ସେନା ରୁଷିଆକୁ ବି ଗିଳି ପକାଇବେ ବୋଲି ଧାଇଁ ଥାଆନ୍ତି । ରୁଷିଆରେ ସେମାନେ ଅଭୂତପୂର୍ବ ପ୍ରତିରୋଧର ସମ୍ମୁଖୀନ ହେଲେ । ରୁଷ୍ ସେନା ତଥା ରୁଷିଆର ଅଧିବାସୀ ସତେଅବା ଇଞ୍ଚେ ଇଞ୍ଚେ ଭୂମିପାଇଁ ପ୍ରାଣମୂର୍ଚ୍ଛା ଲଢ଼େଇ କରୁଥାନ୍ତି । ସ୍ଥାନ ପରେ ସ୍ଥାନ ଜର୍ମାନୀର କବଳରେ ପଡ଼ୁଥାଏ ସତ । ମାତ୍ର ରୁଷିଆ ପକ୍ଷର ପ୍ରତିରୋଧ ଶକ୍ତି ବିଶ୍ଵବାସୀଙ୍କୁ ବିସ୍ମିତ କରି ଦେଉଥାଏ । ଶେଷରେ ଷ୍ଟାଲିନ୍ ଗ୍ରାଡ଼୍‍ଠାରେ ବିଶ୍ଵ ଯୁଦ୍ଧର ମୋଡ଼ ବଦଳିଗଲା । ଜର୍ମାନ୍ ବାହିନୀ ପଛକୁ ଘୁଞ୍ଚିଲା । ସେତେବେଳେ ଜେଲ୍ ଭିତରେ ଥିବା ଆମେ ମଧ୍ୟ ଏହି ଘଟଣାରେ କମ୍ ଅବାକ୍ ହୋଇନାହୁଁ ! ରୁଷ ରଣକ୍ଷେତ୍ରରେ ସୋଭିଏତ୍ ଲାଲ୍ ସେନାର ସେହି ସାହସ ଓ ବୀରତ୍ଵ ବିଷୟରେ ମୁଁ ପୃଷ୍ଠା ପରେ ପୃଷ୍ଠା କବିତା ଲେଖିଛି । କବିତାରେ ଖାତା ଭର୍ତ୍ତି ହୋଇଯାଇଛି । ଜେଲ୍ ରୁ ବାହାରିବା ପରେ ସେହି କବିତାଗୁଡିକ ମଧ୍ୟରୁ କେତୋଟିକୁ ବାଛି ମୁଁ କ୍ଷୁଦ୍ର ସଂକଳନଟିଏ ପ୍ରସ୍ତୁତ କରି ଦେଇଥିଲି ଓ କକେଇ ସେଇଟିକୁ ମଧ୍ୟ ଛାପିଥିଲେ । ‘ଦୁଇ ଅଧ୍ୟାୟ’ ଏହାର ନାମ ଦିଆଯାଇଥିଲା । ନିଜ ଲେଖା ବହିଗୁଡ଼ିକ ମଧ୍ୟରେ ଏଇଟି ହେଉଛି ମୋ’ର ସର୍ବପ୍ରଥମ ।

ଚିତ୍ତରଞ୍ଜନ ଦାସ

Image

 

 

 

 

 

 

 

 

 

 

 

 

ଯୁଗହତ୍ୟା

 

ଭୋକ

(୧)

 

ଭୋକର ବାଇଦ ବଜାଇ ଆସୁଚି

ଅନ୍ନପୂର୍ଣ୍ଣାର ଉତ୍ସବ ପୂଜା

କିପରି ଗାଇବି ତୋ’ ଗୀତ ହରଷେ

ଭୋକ ଯେ ଏ ଦେଶେ ହୋଇଚି ରାଜା ।

 

ନିତି ନିତି ପରା ଭୋକ ଉପାସରେ

ଝରେ ମୋ ଆଖିରୁ ତପତ ଲୁହ

ଲୁହ ଲୁଚାଇବି, ଆନନ୍ଦେ ନାଚିବି,

ତୋ’ ରୁପ ସାଜିବି କିପରି କହ ।

 

ଅନ୍ନପୂର୍ଣ୍ଣା ଆସେ ଅଭାବ ଦୁଆରେ

ହାତେ ଧରି ଖଣ୍ଡେ ଖାଲି ଟୋକାଇ

ଅନ୍ଧାର ଦେଶକୁ ଆସୁଛି ପରା ସେ

ସୁଖ ଆଲୁଅର ଦୀପ ଲିଭାଇ ।

 

ଶିଶୁ ହସ କାହୁଁ ପାରିବୁ ତୁ ଦେଖି

ଶିଶୁ ଯେ ମରୁଚି ଭୋକ ଉପାସେ

ଘର ଖଣ୍ଡେ କାହିଁ ଆସ୍ଥାନ କରିବି

ଛପର ଯାଇଛି ଝଡ଼ି ବତାସେ ।

 

ଭାତ ମୁଠା ଯେବେ ଆଣିଚୁ ଦେ ମୁଁ

ପକାଇ ଦିଏ ମୋ ଖାଲି ପେଟରେ

ଦୁଧ କଳେ ଯେବେ ଆଣିଚୁ କହ ମୁଁ

ପିଆଇ ଦିଏ ମୋ ଭୋକୀ ଶିଶୁରେ ।

 

ଗୀତ ବାଦ୍ୟ କାହୁଁ ଶୁଣିବୁ ଆଜି ତୁ

ଚଉଦିଗେ ଖାଲି ଭୋକ ଯାତନା

ହସ ହସ ମୁଖ ଦେଖିବୁ କାହୁଁ ତୁ

ଚଉଦିଗେ ପରା ରୋଗ ଯନ୍ତ୍ରଣା ।

 

କାହିଁ କିଏ ଅଛି କରିବାକୁ ତୋର

ଆବାହନ ପୁଣି ମଙ୍ଗଳ ହୋମ

ଭୋକେ ଝରିଥିବା ମଲା ମଣିଷର

ଯୂଇ ସଜାଡ଼ିବୁ ଆସିଚୁ ଯମ ?

 

କାହାର ଦୁଆରେ ବସିବୁ ତୁ ଯାଇ

ସବୁରି ଦୁଆରେ ମୁର୍ଦ୍ଦାର କୁଢ଼

 

ଭୋକ ନିଆଁ ପରା ଜାଳି ଦେଇ ଅଛି

ଏ ଦେଶର ଫୁଲ, ଅଫୁଟା କଢ଼ ।

 

କୋରଡ଼ ଭିତରେ ପଶିଲାଣି ଆଖି

ହାଡ଼ ଢାଙ୍କି ଝୁଲେ ଧୋକଡ଼ା ଚମ

ଅବଶ ଆଖିରେ ଦେଖିବି କିପରି,

କହିବି କିପରି ତୁ ମାଆ ସମ ।

 

ମାଆ ସମ ଆଜି ହୋଇଥିଲେ କଣ

ଆସିଥାନ୍ତୁ ଧରି ଖାଲି ପସରା

ମୋ’ରି ଆଗରେ ମୋ ପିଲା ମରନ୍ତା

ଅଜାଡ଼ୁ ଥାଆନ୍ତି ଲୁହ ଅସରା ?

 

(୨)

 

ମରଣ ଦଉଡ଼ି ଟାଣୁଚି ଯେବେ

ପାଣି ଢୋକେ ପିଇ ଜୀବନକୁ କେହି

ମରଣ ଦୁଆରୁ ଟାଣିବ କେବେ ?

ହିମାଚଳ କୋଳେ ବରଷେ ପାଣି

ଗଙ୍ଗା ଶେଯ ଭରି ବହେ ଉଜାଣି

ପାଚିଲା ଫସଲେ ଢେଉ ଖେଳୁଥାଏ,

ଭୋକିଲା ପେଟଟା ନ ପୂରେ ପୁଣି ।

ଜୀବନଟା ଗଲା କରଜ ସୁଝି

ଉପାସର ତୁଲେ ସତତ ଯୁଝି

ସେଇ ଭୋକେ ମୋର ପେଟ ଜଳିଯାଏ

ସେଇ ଭୋକେ ଦେବି ନୟନ ବୁଜି ।

ଗଞ୍ଜଣାଟି ଖାଲି ଜୀବନ କାଳ

ସେପାଇଁ ବୁହାଇ କପାଳ ଝାଳ

ଶୁଖିଲା ପିଣ୍ଡରେ ପ୍ରାଣ ପୂରାଇଲି,

ତଥାପି ବୁଲେ ମୁଁ କଙ୍କାଳ ମାଳ ।

ରାଜପଥେ ଚାଲେ କଙ୍କାଳ ସୁଅ

କେତେ କଙ୍କାଳରୁ ଛାଡ଼ୁଛି ଜୀଅ

ତବତ ବିହୁନେ ଘରେ ମରେ ମୋରେ

ତିରିଶି ବରଷ ଭେଣ୍ଡିଆ ପୁଅ ।

ସଂସାରରେ ଯେତେ ବିଭବମାନ

ସବୁ ଚରାବାଲି-ସବୁ ସପନ

ଗୋଡ଼ ପକାଇଲେ ଯାଏ ରସାତଳ-

ଶାନ୍ତି ପାଏନା ଏ ଶୁଖିଲା ପ୍ରାଣ ।

ହୁତାଶନ ସମ ଜୀବନ ଜଳେ

ଚମ ତଳେ ଭୋକ ଚିତ୍କାର କରେ

ପତର ପଲାଟି ଭୁଷୁଡ଼ାଇ ଦେଇ

ଶୀତ ବର୍ଷା ଖରା ଗର୍ଜନ କରେ ।

 

(୩)

 

ଆମେ ଭୋକିଲା ଦେଶର ପୁଅ

ଭାତ ବିହୁନରେ ଉଡେ ଏ ଦେଶରେ

କୋଟି ଯୁବକର ଜୀଅ ।

ପଉଷ ରାତିରେ କୁଡ଼ିଆରୁ ଶୁଭେ ଭୋକିଲା ପେଟର କାନ୍ଦ

ଭୋକ ଉପାସରେ କଳା ପଡ଼ିଥାଏ ଏ ଦେଶ କଅଁଳ ଚାନ୍ଦ ।

ଏ ଦେଶର ଟୋକା ଭୋକ ତାଡ଼ନାରେ ରେଙ୍ଗୁନ ଆସାମ ଯାଏ

ଚୋରିକରି କାହିଁ କଳାପାଣି ଯିବା ଏ ଦେଶର ଭାଗ୍ୟ ଥାଏ ।

ଏ ଦେଶ ମା’ର ଦୁଧ ଶୁଖିଯାଏ ଚାରିଦିନ ପିଲା ପାଇଁ

ପେଟକୁ ଫୁଲାଇ ମରେ ଦେଶ ଶିଶୁ କଞ୍ଚା ପାଣି ପିଇ ପିଇ ।

ଏ ଦେଶର ମାଆ ପିଲା ମାଉଁସରେ ଭୋକ ଜାଳା ଶାନ୍ତି କରେ

ନିଜ-ଦୁଧଖିଆ ପିଲାଟି ସିନାରେ ସେଇ ମାଆ ହାତେ ମରେ ।

ଭୋକିଲା ପେଟରେ ଚାଷୀ ଶୋଇପଡ଼େ କିଳିଦେଇ ପତ୍ର ତାଟି

ଭାବୁଥାଏ ଖାଲି କେତେଦିନ ଆଉ ଉପାସେ ପାରିବ କାଟି ।

ଶିଶୁର ମୁହଁଟି ଯୁବକ ଦେହଟି ଖାଲି ଭୋକ ଅବତାର

ଭୋକ ସାଥେ ଯୁଝି ଭାତ ପାଇବାକୁ ଜୀବନ ଯାଏଟି ତାର ।

ପୂଜା ପରବରେ କେତେଆଡ଼େ ଖେଳେ କେତେ ଆନନ୍ଦର ରେଖା

ଭୋକ ଜାଳା ଖାଲି ସହିବାକୁ ପରା ଏ ଜାତି କପାଳ-ଲେଖା ।

ଏ ଦେଶ ଦୁଆରେ ଫୁଟି ଉଠେ ନିତି ଭୋକ ଉପାସର ଦୁଃଖ

ଆନନ୍ଦେ ହସିବା, ଜୀବନ ବଞ୍ଚିବା ଖାଲି ସପନ ସୁଖ ।

ଦିନରାତି ଖାଲି ଦେଶ ଦାଣ୍ଡେ ଯାଏ ଉପାସର ଅଭିଯାନ

ନିତି ଶିଶୁ ମରେ ଭୋକିଲା ସତେ କି ଏ ଦେଶର ଭଗବାନ ?

୩-୧୦-୪୩

 

(୪)

 

ମୋ ଆଖି ଆଗରେ ଯେବେ ଯାଏ ମୋ ଶିଶୁର ପ୍ରାଣ

କି ଆଶେ ଡାକିଦି ଆଉ ‘ରଖ ମୋତେ ଭଗବାନ !’

ସରସ ଜୀବନ ପଥେ ଥୋକାଏ ଯାଆନ୍ତି ଚାଲି

ଜୀବନ ନଈଟା ସିନା ମୋ ବେଳକୁ ଚରାବାଲି !

ଥୋକାଏ କରନ୍ତି ସୁଖ ନିଶ୍ଚିନ୍ତ ମଧୁ ଶଯ୍ୟରେ,

ଯାଏ ସିନା ମୋ ଜୀବନ ପେଟର ପରିଚର୍ଯ୍ୟାରେ !

ନ ଡାକେ, ଭଜେ ନା ଯିଏ ପାଏ ସେ ଅମୃତଖିରୀ

ଡାକ, ଭଜି, କ୍ଷତି ମୋର ଭାଗେ ଖାଲି ଥାଳୀ ।

ଜୀବନ ଗରଜେ ଦୁଃଖ ସବୁ ଆଜି ଅବିଶ୍ଵାସ

ଶକ୍ତି-ହୀନ ଭଗବାନ-ନାହିଁ ତା କ୍ଷମତା ଲେଶ ।

ଭାତ ଲାଗି ମୁଣ୍ଡ ପିଟେ ତରୁଣ ପଥର ପରେ

ଭଗବାନ ରଖେନା’ରେ-ତା’ ପାଇଁ ଲୁହ ନ ଝରେ ।

ଶିଶୁ ମରେ ଉପାସରେ ନପାଇ ମା’ର ଦୁଧ

ଭଗବାନ ରଖେନା’ରେ-ଆସଇ ମନରେ ଖେଦ ।

ପଥର-ଦେବତାଆଗେ ପରବର ସୁଅ ଚାଲେ

ଦେବତା-ଗଢ଼ିଲା ପ୍ରାଣ ନଖାଇ ଉପାସ ମରେ।

ଭୋକିଲା ପେଟର ଆଜି ଗରଜର ମନେ ରାଗ

ଦେବତା ଦୁଆରେ ଆଣେ ଅବିଶ୍ଵାସ ଅଭିଯୋଗ ।

ତୁମରି ଶିଳା ଉପରେ ମଥା ପିଟେ-ଯାଏ ପ୍ରାଣ

କି ଆଶେ ଡାକିବି ଆଉ ‘ରଖ ମୋତେ ଭଗବାନ !

୩-୧୦-୪୩

 

(୫)

 

ଆଖିଆଗେ ମୋର ମରିଯାଏ ଶିଶୁ

କିପରି କହିବି ରକ୍ଷକ ବୋଲି

ଭୋକ ଉପାସ ଯେ ଦେଉଚି ଯାତନା

କିପରି ଡାକିବି ପାଳନ ବୋଲି

ମୃତ୍ୟୁ ନାଚୁଛି କିପରି କହିବି ‘ଜୀବନ ଦାତା’

ଧ୍ଵଂସ ଭିତରେ କିପରି କହିବି ‘‘ଭଗବାନ, ତୁମେ ସକଳ କର୍ତ୍ତା’’ ।

 

ତୁମ ଲାଗି ନିତି ମନ୍ଦିର ଦୁଆରେ

ଢାଳୁଚି କେତେକେତେ ଦୁଃଖର ଲୁହ

ପେଟ ପୁରୁନାହିଁ ପିଚା ଲୁଚୁ ନାହିଁ-

କାହିଁକି ତୁମକୁ ଡାକିବି କହ

ଡାକିଲେ ତୁମକୁ ଗରଜିବ ଯେବେ ପ୍ରଳୟ ଝଡ଼

ପୂଜା ତରପଣେ କି ଫଳ ପାଇବି-କାହିଁକି ତୁମକୁ କହିବି ବଡ଼ ?

 

ପରଲାଗି ପରା ଭଗବାନ ତୁମେ

ଢାଲୁଚ ନିରତ ଲୋତକ ବାରି

ଶିଳାରେ ଗରିବ ମୁଣ୍ଡପିଟି ମରେ-

ଅନ୍ଧ ହୋଇଚି ଆଖି ତୁମର

ଯୁବକ ମରୁଚି, ଶିଶୁ ମରିଯାଏ, ରହିଚ ସହି,

କାତରେ ଡ଼ାକିଲେ ଜଗତ ତୁମର ଆଖି ଓଦା ହୋଇ ଆସେ କି ନାହିଁ ?

 

ଜୀବନଯାକ ମୁଁ ଡାକୁଚି ତୁମକୁ

ବାଢ଼ିଦେଲି କେତେ ପୂଜା ସମ୍ଭାର

ଉପବନେ କେତେ ଫଟାଇଚି ଫୁଲ-

ଦୁଆରରେ ନିତି ଜଳେ ଜାଗର

ପଥର ପରାଏ ଅପଲକ ଆଖି ରହିଚ ଚାହିଁ

‘ଦୁଃଖରେ ପଥର ରହିବା’ ଉତ୍ତର ଖୋଜି ଖୋଜି କିନ୍ତୁ ନ ପାଏ କାହିଁ ।

 

ଅନ୍ଧାର ବାଟରେ ଉପାସ ଭୋକରେ

ମଣିଷର ଯେବେ ନ ହେବ ସାଥି

ଧୂଳି ସମୁଦ୍ରରୁ ମଣିଷ ଜୀବନ

ନ ନେବଟି ଯଦି ନିଜେ ସାଉଁଟି

କାହିଁକି ଭଜିବି, କାହିଁକି ପୂଜିବି, କରିବି ଧ୍ୟାନ,

ମିଛ ଉପାସନା, ମିଛ ସେ ଦେଉଳ-ଆଶ୍ରୟ ନୁହେଁ ସେ ଖାଲି ଶ୍ମଶାନ ।

୪-୧୦-୪୩

 

ସେଇ ମରଣର କ୍ଷଣେ ଢାଳିବି ମୁଁ ଶେଷ ଅଶ୍ରୁ କଣା

ଦିନେ ‘ବାପ’ ହୋଇଥିଲି ବୋଲି ଜୀବନରେ ଦେବି ମୁଁ ସାନ୍ତ୍ୱନା-

ମୁର୍ଦ୍ଦାର ଉପରେ ଦିନେ ଗାଇଯିବ ମୋର ଶେଷ ପକ୍ଷୀ

ଶିଶୁକୁ ମୁଁ ଛାଡ଼ିଥିଲି ବୋଲି

‘ବାପ’ ଶେଷ ଗଲି ମୁଁ ଏକାକୀ ।

ଚିରଦିନ ଗାଇବି ମୁଁ ଖାଲି କେହି ପଛେ ନ କରୁ ବିଶ୍ୱାସ

ବିଶ୍ୱଦାଣ୍ଡେ କହି ମୁଁ ବୁଲିବି-‘ଆସିଥିଲି ଆଗାମୀ ମଣିଷ’

 

(୬)

 

ଭାତ ଦିଅ ସରକାର,

ତତଲା ପେଟରେ କେମିତି ଖଟିବୁ ମରଣହିଁ ସିନା ସାର !

 

ଦୁଃଖ ଯାତନା ବୁକୁପରେ ଧରି କିପରି ଗାଇବୁ ତମରି ଗୀତ

ପେଟ ପୋଡ଼ିଯାଏ କହ ତ କିପରି ବଢ଼ାଇବୁ ଆମେ ତମରି ବିତ୍ତ

ଜୀବନଟା ଗଲା ତମଠି ଅଧିଆ ପଡ଼ି

ତଥାପି ନ ପୂରେ ପେଟ ଚାଖଣ୍ଡଟା

ଭୋକ ଭାରେ ପିଲା ପଡ଼ୁଛି ଝଡି ।

 

ତୁମରି ଦୁଆରେ ଫୁଲ ଫୁଟିବାକୁ କେତେ ଟଙ୍କା ବିଞ୍ଚା ହୁଏ

ତୁମରି ମଣୋହୀ ତିଆରି ହେବାକୁ କେତେ ଚିଜ ଖଞ୍ଜା ହୁଏ

କୁକୁର ପାଇଁକି ଦୁଇଟା ଚାକର ପୁଣି

ଖାଲି ପେଟଟାରେ ଗରଜୁଛି ମୋ

କାଲିର ପଖାଳ ପାଣି ।

 

ମୋ ଅଣ୍ଟାରେ ନାହିଁ ଫଟା ପାହୁଲାଟେ ପେଟରେ ଜଳୁଛି ନିଆଁ

ମଣିଷ-ଫୁଲଟି ଝାଉଁଳି ପଡ଼ୁଚି କରି ନ ପାରୁଚି ଠିଆ

ପିଲାଟା କାନ୍ଦୁଚି ମା’ର କୋଳରେ ତା’ର

ଭୋକ ଜାଳା ସେ କି ସମ୍ଭାଳି ପାରିବ, ସେ ଯେ ଅତି ସୁକୁମାର;

ସେଥିଲାଗି ଆଜି ଦାଣ୍ଡେ ମୁଁ ଆସିଚି

ଭାତ ଦିଅ ସରକାର ।

୩-୧୦-୧୯୪୩

 

ଅନାଗତ କଥା କହେ ବୋଲି ଏ ମଣିଷ ବୁଝେ ନାହିଁ ମୋତେ

କରେ ବୋଲି ଅଶ୍ରୁତ ଘୋଷରା ପାଏ ନାହିଁ ସ୍ଥାନେ ଏ ଜଗତେ

 

(୭)

 

‘‘ରହ ବାପ ଦଣ୍ଡେ ରହ ବଞ୍ଚି

ତୋ ବାପ ଯାଇଛି ଆଉ କ୍ଷଣକରେ ଯିବଟି ପହଞ୍ଚି

ଆଣିଥିବ ଦୁଧ ତୋର ପାଇଁ

ପିଇବୁ ପୂରିବ ପେଟ-ଆଉ ଦିନେ ରହିଯିବୁ ଜୀଇ ।

ମାଇପି ଲୋକଟା ମୁଁ ଯେ ଭାତ ମୁଠା ପାଇବି ବା କାହୁଁ

ପଥ ପାରୁଶରେ ସିନା ଦିନଯାଏ ଖାଲି ଚାହୁଁ ଚାହୁଁ

କିପରି କରିବି ଶାନ୍ତ-ଭୋକ ଜାଳା କିପରି ଥମିବ

ବକ୍ଷରେ ଯେ ନାହିଁ ଦୁଧ-କଞ୍ଚାପାଣି ସିନା ପିଆଇବ !

କଞ୍ଚାପାଣି ପିଇଲେ କି ହୋଇବୁ ତୁ ତୁନି

ଦଣ୍ଡେ ତୁନି ରହ ବାପ-ବାପ ତୋର ଫେରିବ ଉଛୁଣୀ ।

ମୁହିଁ ମାଆ ପରା

କିପରି ସହିବି ତୋର ଏ ବିକଳ କାନ୍ଦର ଅସରା

ମୋ ଆଗେ ହେଉଛୁ ଯେତେ ଉପାସରେ ଦୁଃଖେ ଛଟପଟ

ଯେତେ ମୁଁ ଦେଖୁଚି ଭୋକ-

କରୁଚି ଯେ ତୋ ଉଦରେ ନାଟ ।

ଭାଙ୍ଗିଯାଏ ଧଇର୍ଯ୍ୟ ପଥର

ଦାଣ୍ଡଟାରେ ମୁଣ୍ଡକୋଡି ମରିଯାନ୍ତି-ହୁଅନ୍ତା ସେ ଭଲ ।

ତୋତେ ପରା ଗରଭେ ଧରିଚି-

ତୋ ହସ ଦେଖିବି ବୋଲି ଦଶମାସ କଷଣ ସହିଚି,

ଆଜି ଆଖିଆଗେ ତୋ’ ମରଣ ସହିବି କିପରି

ରହିବାପ-କ୍ଷଣେରହ ତୋଆଗୁ ମୁଁ ଯାଏ ହେଲେ ମରି’’

୯-୧୦-୪୩

 

(୮)

 

‘‘ଆଣି ମୁଁ ପାରିଲି ନାହିଁ ଭାତ ମୁଠା-ଫେରେଇ ଶେଷରେ

ଯୁଝି ମୁଁ ପାରିଲି ନାହିଁ ଗୋରୁ ସଙ୍ଗେ-ଶୁଖିଲା ପେଟରେ

ଶୁଖିଯାଏ କଣ୍ଠ ମୋର-ଛାତି କାଟି ଉଡିଯାଏ ପ୍ରାଣ

ନ ପାରିବି ବଞ୍ଚି ଆଉ-ପାଇଯିବି ତ୍ରାଣ ।

ରାସ୍ତା କଡ଼େ ହେବ ମୋ ମଶାଣି

ତୁମ ରାସ୍ତା ନିଜେ ଏବେ ଦେଖ-ମୋ ଉପାୟ ସବୁ ସରିଲାଣି ।

ସେଇ, ମୋଡ଼ ପାଖ କଚରା ଟିଣଟା

ଯାଇଥିଲି ଅଇଁଠା ଗୋଟାଇ-ହେଲି ସିନା ଏତେ ହଟହଟା

ସେଇ ଧୂଳି କଚରାରୁ ଆଣିବାକୁ ଭାତ ଖୋଳି ଖୋଳି

ଭୋକିଲା କୁକୁର ପଲ ମୋ ବାଟରେ ହୋଇଲେ ଭଗାରି

ଆକୁଳେ ମୁଁ ଆଖିବୁଜି ଟିଣଟାରେ ହାତ ପୂରାଇଲି

କୁକୁର ମୁହଁରୁ ଖଣ୍ଡେ ଛିଣ୍ଡାପତ୍ର ଛଡାଇ ଆଣିଲି

କୁକୁର କି ସହଜେ ଛାଡନ୍ତା

ମୋ ପିଲା ବଞ୍ଚାଇ ଆପେ ଉପାସରେ ସେ କେବେ ମରନ୍ତା ?

ଲଗାଇଲା ଦାନ୍ତ ମୋ ହାତରେ

ଅଇଁଠା ପତର ଛାଡି ଖାଲି ହାତେ ଆସିଲି ମୁଁ ଡରେ ।

ଏଇ ଦେଖ ହାତଟାରୁ ବହିଯାଏ ଝର ଝର ରକ୍ତ-

ସହିଲାଣି କଷଣ ବହୁତ,

ଆଉ ପାରିବିନି କେବେ-ନ ପୂରିବ ପଛେ ପୋଡା ପେଟ ।

ଚାହିଁଥିଲ କେତେ ଆଶାକରି

ଉପାସୀ ପିଲାର ମୁଖେ ଭାତଟାଏ ଦେଇଥାନ୍ତି ଭରି

ଦି’ ଦିନର ଉପବାସୀ ଶିଶୁ

ସେ କାହୁଁ ବୁଝିବ କଷ୍ଟ-କାଳ ସିନା ଟାଣେ ତାକୁ ପଛୁ !

କଞ୍ଚାପାଣି ପିଆଇଲେ ବଞ୍ଚିବ ଏ ପରା ?

ଚିର ଅଭାଗିନୀ ନାରୀ-ଯମ ସାଥେ ଖେଳୁଚ ଟାପରା ?

ଭାଗ୍ୟବତୀ ହୋଇଥିଲେ କଣ ଦୁଃଖ ଆଜି ନ ଥାନ୍ତା ଛାତିରେ-

ଘର ଛାଡି-ଦେଶ ଛାଡି-ମରୁଥାନ୍ତ ବତୀ ଖୁମ୍ଭ ତଳେ ?

ପାରିବନି ରଖି କେହି-ଚାଲିଲି ମୁଁ ମୋ ସଉଦା ସାରି

ଭାବୁଚ ଶୂନ୍ୟକୁ ଚାହିଁ ପିଲାଟାଏ ବଞ୍ଚିବ କିପରି ?

ପିଲାଟିକୁ ବିକିଦେଇ ଆଣିବ ତ ଭାତ ଖପରାଏ

ବଞ୍ଚିଯିବ ଦୁଇ ଓଳି-ମିଳିବ ତ କାଣି କଉଡ଼ିଏ ?

ନ ହେଲେ, ନ ପାରିଲେ ବଞ୍ଚାଇ ଶିଶୁକୁ

ଆଖି ବୁଜିଦେବ ତଣ୍ଟି ଚିପି-ପଥରଠୁ ଟାଣ କରି ବୁକୁ

ମିଛେ ମିଛେ ବାଜିବ କାହିଁକି କାନ୍ଧପରେ ଅକାମୀ ବୋଝକୁ ?

ଏ’ଟା ମଲେ ଚାଲିଯିବ ଏକା

ଚିନ୍ତା ନାହିଁ-ନିଜ ପେଟ ପୂରିଗଲେ ନାହିଁ ଆଉ ଦକା

ପଡ଼ିଚି ଏ ରାସ୍ତାର ଛାତିଟା

କେତେଲୋକ ଯାଆନ୍ତି ଆସନ୍ତି-ରଚିସନ୍ତି କେତେଭଳି କଥା

ତୁମେ ଦିନେ ଚାଲିଥିବ ଏଇପଥେ-ନଥିବ ଗୋ ଚିନ୍ତା ।’’

୯-୧୦-୪୩

 

ଯାର ପାଇଁ ଧରେ ଭିକ୍ଷାଝୁଲି ସେ ଯେ ମୋତେ ଚିହ୍ନି ନ ପାରିଲା ।

କହେ ଯାର ଅନ୍ତରର କଥା- ସେ ମଣିଷ ବୁଝି ନ ପାରିଲା ।

 

(୯)

 

ଜୀବନର ଛକ ଜାଗାଟାରେ

ପାଏନା ଆଜି ମୁଁ ପଥ-ଯିବି ଆଜି କେଉଁ ପଥଧାରେ ।

ଆଗରେ ଯେ ରାଜପଥ ପଡ଼ିଚି ସଳଖ

ଗଲେ ଚାଲି ଦେଖିବି ମୁଁ ପରିବାର ଭୋକଝରା ମୁଖ ।

ଏ ପାଖରେ ମୋଡ଼ ଭାଙ୍ଗିଗଲେ ଅନ୍ୟ ପଥେ,

ସ୍ଵାଧୀନ ମୁଁ-ଚାଲିଯିବି ଏକା-ଖାଲିମୋର ଭାଗ୍ୟ ନେଇ ସାଥେ ।

ଏ ପଥରେ ଗଲେ ମୋର ପରିବାର ମମତା ବନ୍ଧନ

ଶିଶୁର ଭୋକିଲା ପେଟ-ବ୍ୟାକୁଳତା ଆତୁର କ୍ରନ୍ଦନ

ଅନ୍ୟ ପଥେ ବନ୍ଧହୀନ-ଚିନ୍ତାହୀନ-ଏକା ମୁଁ ପଥିକ

ଚାଲିଯିବି ମୋ ବିପଣୀ ନେଇ, ଜୀବଥିବ ଯେତେଦିନଯାକ !

ଏକଆଡ଼େ ଦୂର ଆଖି ଡାକେ ମୋତେ ‘ବାପ’ ‘ବାପ’ ବୋଲି-

ମୋ ଭାରିଯା କାନ୍ଦେ ଭୋକେ-ପଥଟାରେ ମୁଣ୍ଡଟା କଚାଡ଼ି

ଅନ୍ୟଆଡ଼େ ଏପାଖ ଦୁନିଆ ଚିହ୍ନେ ନାହିଁ ମୋତେ ବାପ ବୋଲି

ସ୍ଵାମୀ ବୋଲି ନ ଡ଼ାକିବ କେହି-ଭାତଲାଗି ନ କରିବ ଅଳି ।

ଦୁନିଆରେ ଶାନ୍ତି ନାଶି ଖୋଲା ଆଜି ମୃତ୍ୟୁର ଫାଟକ

ଦୁଇ ପଥେ ଅପେକ୍ଷା କରନ୍ତି ମୃତ୍ୟୁଦୂତ-କାଳ-ଯମଯାକ

ଦୁଇପାଖ ପଥ ଶେଷେ ରହିଚି ମରଣ,

ଭୋକକୁ ରୋଧିବି କାହୁଁ-ଯମ ସିନା ଦେବରେ ଶରଣ !

ବ୍ୟବଧାନ ରହିଛି ଏତିକି

ଏଣେ ଗଲେ ମରିବି ମୁଁ ‘ବାପା’-

ତେଣେ ଗଲେ ମରିବି ଏକାକୀ-

+ + +

ମାଆ ତାର କେତେ ଆଶାକରି

ଶିଶୁକୁ ବୁଝାଉଥିବ-ପଥତଳେ-ମୋ ଯିବା ସୁମରି-

‘ବାପା ତୋର ଆଣୁଥିବ, ଭାତ’-କହୁଥିବ-କେତେ ଚାହୁଁ ଥିବ

ମୋର ଯିବା ପଥ ଚାହିଁ ସିନା ଆଖିପାଣି ଆଖିରେ ମରିବ ।

+ + +

ଦୁଇଦିନ ଆହାର ନ ପାଇ

ପିଲାମୋର ଭୋକେ କାନ୍ଦୁଥିଲା-ମୋର ଛୋଟ ସଂସାରକମ୍ପାଇ

ମା’ ତାର-ନିରୀହା ରମଣୀ-ମୁହଁ ଢାଙ୍କି କାନ୍ଦୁଥିଲା ବସି,

ବାପା ହୋଇ କିପରି ଦେଖନ୍ତି-ଢାଳୁଥାନ୍ତି ଲୁହ ରାଶି ରାଶି ?

ପିଲାର ବିକଳ ଦେଖି ପାଗଳ ମୁଁ ଧାଇଁଲି ପଥରେ

ମୋ ଆକାଶ ପଡ଼ିଲା ଭୁଷୁଡି-ଗରଜିଲା ଦୈତ୍ୟ ମୋର ଖରେ-

ଛକର ଏ କଚରା ଟିଣଟା

ଧନୀର ଅଇଁଠା ଏଠି ଜମାହୁଏ-ଭାତ ଗୋଟା ଗୋଟା

ଧାଇଁଲି ମୁଁ କେତେ ଆଶାକରି

ଯୁଝିବାକୁ ଆସିଲା କୁକୁର-ହାତ ମୋର ଧରିଲା କାମୁଡି !

ପଶୁଟାଏ ହେଲା ଶେଷେ କାଳ

କିଏ ପଶୁ-କିଏରେ ମଣିଷ, ସମସ୍ତେ ଯେ ଭୋକରେ ପାଗଳ

ଭୋକ ନିଆଁ ପୋଡ଼ିଦିଏ ସମସ୍ତ ସୃଷ୍ଟିକୁ

ପଶୁ ଆଜି ମଣିଷ ମାନେ ନା-ନଡ଼ରେ ସେ ମଣିଷ ସୃଷ୍ଟିକୁ

ସେଥିପାଇଁ ନର ପଶୁ ମିଳି ପଥପାର୍ଶ୍ୱେ ଚାଟନ୍ତି ଅଇଁଠା

ପଶୁ ସାଥେ ମଣିଷ ମରୁଚି-ଶବ କୁଢ଼େ ସଢ଼େ ସହରଟା ।

ତିନିଦିନ ଖାଇ ମୁଁ ନଥିଲି

ଉଡ଼ି ମୋର ଯାଉଥିଲା ହିଂସା-ପଶୁସାଥେ ଯୁଝି ନପାରିଲି

ଧରିଲା ସେ ମୋ ହାତ କାମୁଡି-ବିକଳରେ କଲି ମୁଁ ଚିତ୍କାର

ସକଳର ପେଟ ଜଳିଯାଏ-କେ କାହାକୁ ଛାଡ଼ିବ ଆହାର ।

+ + +

ଖାଲି ହାତେ ବାପ ଆଜି ଯିବି ପିଲା ପାଶେ

ନିରର୍ଥକ ସାନ୍ତ୍ଵନାରେ ବୁଝାଇବି ମରଣର ଦାସେ

କେତେ ଆଶାଭରା ଆଖି ଚାହିଁଥିବ ମୋର ଯିବା ପଥ-

ଏ ନିଲଠା ପ୍ରାଣଘେନି-ଦେଖାଇବି ମୋର ଖାଲି ହାତ ?

ବାପ ମୁହଁ-ପୋଷି ନ ପାରିଲି-କେଉଁ ମୁଖେ ଯିବ ପୁଣି ଫେରି

ବଞ୍ଚାଇ ନପାରି ଶିଶୁ-ପାରିବି ମୁଁ ମାଆକୁ ସମ୍ଭାଳି ?

ପଥପାର୍ଶ୍ୱେ ମଣିଷ ସେମାନେ-ମୁହିଁ ବୁଲେ ପଥର ଭିକାରୀ

ପିତା ହୋଇ ନ ପାରିଲି ପଥେ ପିଲାଟାର ଭୋକ ଶାନ୍ତି କରି ।

ନ ପାରିବି ଆଉ ଦୁଃଖ ଦେଖି

ମୋ ସମ୍ମୁଖେ ମରିବ ମୋ ପୁଅ-ନାହିଁ ଧୈର୍ଯ୍ୟ ପାରିବି ନିରେଖି ।

ନୁହେଁ ବାପ-ନାହିଁ ପରିବାର

ଭୋକ ସବୁ ବନ୍ଧନ କାଟିଚି-ପାଳି ଖାଲି ଅଛି ମରିବାର ।

ମରଣର ସମ୍ବନ୍ଧଟା ତୁଟାଇବି ଏକା-ଏକା ପଥ ଶେଷେ ଖାଲି

ନ ରହିବ କାନ୍ଦିବାକୁ କେହି ପଥଧାରେ ଯିବି ଯେବେ ମରି ।

ଏଇପଥେ ଚାଲିଯିବି ଏକା-

ମୃତ୍ୟୁ ରଣେ ହାର ମାନି ମିଶିଯିବି ମୁଁ ପାଣି ଫୋଟକା ।

+ + +

ଏ ମାଟିରେ ଜନ୍ମ ହୋଇଥିଲି

ଏ ଦେଶର ଚାଳ ତଳେ ପରିବାର ଦିନେ ଗଢ଼ିଥିଲି

ପିତା ହୋଇ-ଶିଖିଥିଲି ଦେଇ ପିତୃ ସ୍ନେହ

ଆଜି କାଟେ ସେ ବନ୍ଧନ ନିଜ ହାତେ ଦେଇ ଆଖି ଲୁହ ।

ଦେଶର ଏ ମରୁଭୂମିପରେ

ଏକାକୀ ମରୁ ପଥିକ-ମରୁ ସାଥି ଖୋଜିବ କାହାରେ ?

ଯେତେଦିନ ମିଳୁଥିବ ଭାତ

ଯେତେଦିନ ବଳ ଥିବ ପ୍ରାଣେ ଯୁଝିବାକୁ କୁକୁର ସହିତ,

ସେତେଦିନ ବଞ୍ଚିବି ମୁଁ-ଚାଲିଥିବି ଏକା

କାର ଦୁଃଖ ନ ଦହିବ ମୋତେ-ନ ବାଧିବ ପରିବାର ଶଙ୍କା ।

ଶେଷେ ଯେବେ ମରିବି ବାଟରେ

ନିଶ୍ଚିନ୍ତ ମୁଁ ନମସ୍କାର କରି ମରଣକୁ ବରିବି ଦୁଆରେ ।

ନକାନ୍ଦିବ କେହିମୋ’ ପାଇଁ ‘ସ୍ଵାମୀ’ ଅବା ‘ବାପା ବାପା’ ବୋଲି

ଯାଏ ଆଜି ଏକାକୀ ପଥିକ-ସେଦିନ ମୁଁ ଏକା ବିବି ଢଳି

ଆସିଥିଲି ଆଲୁଅ ଜଳାଇ-ଗଢ଼ିଥିଲି ସୁଖ ପରିବାର

ଚାଲିଯିବି ଲୁହ ଢାଳି ଏକା-ଯେବେ ଭାଙ୍ଗି ପଡ଼ିବ ସଂସାର-

ସେଇ ମରଣର କ୍ଷଣେ ଢାଲିବି ମୁଁ ଶେଷ ଅଶ୍ରୁ କଣା

ଦିନେ ‘ବାପା’ ହୋଇଥିଲି ବୋଲି ଜୀବନରେ ଦେବି ମୁଁ ସାନ୍ତ୍ଵନା-

ମୁର୍ଦ୍ଦାର ଉପରେ ଦିନେ ଗାଇଯିବ ମୋର ଶେଷ ପକ୍ଷୀ

 

ଶିଶୁକୁ ମୁଁ ଛାଡିଥିଲି ବୋଲି

‘‘ବାପ’’ ଶେଷେ ଚାଲି ମୁଁ ଏକାକୀ ।

୨୨-୧୦-୪୩

 

ଯେତିକି ମୁ ଗାଉଚି ସଂଗୀତ ସେତିକି ଏ ଦୁନିଆ ଭୁଲିଚି

ଯେତିକି ମୁଁ ଚିତ୍କାର କରୁଚି-କେତେ କିଏ ବିଦ୍ରୁପ କରୁଚି

ତଥାପି ସେ ନୂତନ ରହିଚି ପ୍ରାଚୀନର ମୃତ୍ୟୁ-ଗୀତ ଗାଇ

ଅଜ୍ଞାନ ମୁଁ ଅତିଥି ଆସିଚି ସେ ନୂତନ ଯୁଗ ସୃଷ୍ଟି ପାଇଁ ।

 

(୧୦)

 

କେତେ ଆଶା କରି ଦେଶୁ ଆସିଥିଲି ଚାଲି

ଭାତରେ ଭୋକିଲା ପେଟ ଭରାଇବି ବୋଲି ।

ପ୍ରଶସ୍ତ ଏ ରାଜପଥ ଗଗନକୁ ଚୁମିଚି ଅଟ୍ଟାଳୀ

ସୁଖର ବଜାରେ ନାହିଁ ଗରିବର ଲାଗି ଅନ୍ନଥାଳି ।

ମଣିଷ ଯୁଝୁଚି ଆଜି ଶ୍ୱାନସାଥେ ଲକ୍ଷ୍ମୀର ବଜାରେ

ମୋ ପେଟ କଷଣ ଜ୍ଵାଳା କହିବି କାହାରେ ?

ଏତେ ବଡ଼ ସ୍ଵର୍ଗପୁର ଏ ସହରେ ହୋଇଚି ରଚନା

ଇନ୍ଦ୍ରପୁରୀ-ପଥେ ଆଜି ମଣିଷ ମୁଁ ଭୋକେ ମରେ ସିନା

+ + +

ଆଜି ମନେପଡେ ସାତଦିନ କଥା-

ଅଧରାତି ଘୋର ଗରଜନେ ନିଦେ ସବୁ ଥିଲା ଯେ ଅଚେତା

ଭାରିଜା ମୋ ପାଖେ ଥିଲା ଶୋଇ,

ପିଲାଙ୍କର ଶୁଖିଲା କଙ୍କାଳ ଧରିଥିଲା ଟାଣ ଖର ଉଇଁ-;

ସମସ୍ତେ ନୀରବ ଥିଲେ, ମୁଇଁ ଖାଲି ଚେଇଁଥିଲି ଏକା

ମୋ ଭିତରେ ଜଳୁଥିଲା ନିଆଁ-ପରିବାର ବଞ୍ଚାଇବା ଦକା ।

ଦୁଇଦିନ ଉପାସ ଶେଷରେ ଚାଉଳ ମୁଁ କାହିଁ ନ ପାଇଲି

ଚାକୁଣ୍ଡା ଶାଗରେ କେବେ ବୋଧ ହେବ ପେଟର ପାହିଲି ?

ମୁହଁ ପିତା ପିଲାକୁ ପୋଷିବ-ତାଙ୍କ ମୁଖେ ଭରାଇବି ଭାତ,

ଉପାସରେ ମରିବେ ସେମାନେ-ଆଖି ଆଗେ ଦେଖି ପାରିବିତ ?

କେତେଦିନ ଫୁଲଟି ହସିବ, ଗଛମୂଳ ପଡ଼ିଲେ ଉପୁଡ଼ି ?

କେତେଦିନ ବଞ୍ଚିଯିବ ଶିଶୁ ଉଦରେ କଞ୍ଚାପାଣି ଭରି

+ + +

ଏଇପରି ଦିନେ ମୁଁ ଦେଖିବି

ମୋ ଆଗରେ ମରିବି ମୋ ଶିଶୁ

ଜୀଅ ଘେନି ମୁହଁ ବଞ୍ଚିଥିବି ।

ଶିଶୁ ପଛେ ଯିବ, ଭୋକୀ ମାଆ-ଆଖି ମୋର ସକଳ ଦେଖିବ

ଫେରାଇ ମୁଁ ଆଣି ନ ପାରିବି କାନ୍ଦିବାଟା ସିନା ସାର ହେବ !

ସେତେବେଳେ ଶିଶୁ ମୃତ୍ୟୁ-ଛାତିଫଟା କରୁଣ ମୂର୍ଚ୍ଛନା

କିପରି ମୁଁ ଦେଖିବି, ସହିବି ? ବାପ ପରି କରିବି ଛଳନା ?

ଏତେ ଦେଖି ସହିବା ଆଗରୁ ଚାଲିଗଲେ ରାଜପଥେ ଏକା

ବୁଲିବି ମୁଁ ମୋର ଭାଗ୍ୟ ଧରି,ନଥିବ ଏ ବ୍ୟାକୁଳ ଆଶଙ୍କା-

ଯେବେ ଏଇ ପରିବାର ଧ୍ଵଂସ ହେବ ଭୋକ ଉପାସରେ

ନ ଦେଖିବ ମୋର ଆଖି-ନ କାନ୍ଦିବ ପ୍ରାଣ ହତାଶରେ-

ସମସ୍ତେ ନିନ୍ଦିବେ ଯେବେ- ‘ବାପ ହୋଇ ପୁଅକୁ ଛାଡିଲା’-

ଅପବାଦ କାନେ ନ ବାଜିବ-ବୁଲୁଥିବି ହୋଇ ବାରବୁଲା ।

ଦୁନିଆର ବାପ ହୋଇ ଏ ଦୁନିଆ ଛାଡି ଯେ ଯାଇଚି

କୋଟିପୁଅ ଭୋକେ ମରୁଚନ୍ତି-ବାପ କେଉଁ ଗହନେ ଲୁଚିଚି,

ସହିଚି ତ ସବୁ ଅପମାନ-ବାପ ବୋଲି ପାଉଅଛି ପୂଜା !

ତାରଲାଗି ଜଳେ ଦୀପାବଳି,ଦେଉଳରେ ବାର ଭୋଗ ଖଞ୍ଜା-

ପୁତ୍ର ଏକ ଛାଡ଼ି ବାପ କି କାରଣୁଁ ପାଇବି ମୁଁ ଲଜ୍ଜା ?

+ + +

ଧୀରେ ଧୀରେ ଶେଯରୁ ଉଠିଲି,

ଧୀର ପତା, ମନ୍ଥରେ କମ୍ପାଇ ନୀରବରେ ମେଲାଣି ମାଗିଲି-

ପୁଅ ଗଲେ ଦେଲି ସ୍ନେହ ଚୁମା-ଭୟେ ତାର ଥରିଲା ଚିକୁର,

ବାପ ଛାଡେ କୋଳର ପୁଅକୁ ଥରେ ଶିଶୁ-ଅନ୍ତର ଠାକୁର !

ନିଜେ ହାତେ ଲିଭାଇଲି ଦୀପ। ଶେଷେ ଥରେ ଫେରି ଚାହିଁଦେଲି

ମୋ ସମ୍ପତ୍ତି ରଖି ମୁଁ ନପାରି-ହତଶରେ ଛାଡ଼ି ଚାଲିଗଲି ।

ଆଖି ତଳେ ଲୋତକର ଥରିଲା ଅସୁର

ଛାତି ତଳେ ଗୋଇଠା ମାରିଲା ଗରଜନ ସହସ୍ର ପଶୁର ।

ଘୂରିଗଲା ଦିଗ ପରା-ଗୋଡ ତଳେ ଗରଜିଲା କିଏ ?

ପୁଅ ଛାଡ଼ି,ଚାଲିବାକୁ ବାପା-ପଛୁ ମୋତେ ଡାକି ଦେଲା କିଏ ?

ବାପ ଯଦି ବାପ ହୋଇଥାନ୍ତା ଘର ଛାଡ଼ି ଯାଆନ୍ତା ବାହାରି ?

ବିଶ୍ଵପିତା ପିତା ହୋଇଥିଲେ ମରନ୍ତେ କି କୋଟିପୁଅ ମରମ ବିଦାରି ?

ଭୋକ ହୁତାଶନ ଦିନେ ପୋଡ଼ିଦେଲା ମୋ ସ୍ନେହ ମମତା

ନିଜ ଭାଗ୍ୟ ନିଜେ ଭୁଞ୍ଜିବାକୁ ଘର ଛାଡ଼ି ଆସିଲି ମୁଁ ପିତା ।

ନାହିଁ ଆଉ ସ୍ତ୍ରୀ; ପୁତ୍ର ମୋର-ପିତା ବୋଲି ନାହିଁ ପରିଚୟ

ଇତରର ଭାବନାରେ ଆଉ ପ୍ରାଣ ମୋର ହୁଏନା ଅଥୟ-

ଏକାକୀ ମୁଁ ଚାଲେ ମୋର ବିପଣୀଟି ନେଇ

କୁକୁରଟା ଖାଲି ମୋ ଭଗାରି-ଯୁଝିବାକୁ ହୁଏ ଭାତ ପାଇଁ ।

+ + +

ଘର ଛାଡ଼ି ଆସିଲି ବାହାରି,

ଲକ୍ଷ୍ମୀବଜାରରେ କିନ୍ତୁ ବୁଲି ବୁଲି ଭାତ ନ ପାଇଲି ।

 

କ୍ଷଣେ କ୍ଷଣେ ରାଜପଥେ ଯାଏ ଘୋଡ଼ାଗାଡ଼ୀ

ଛିଣ୍ଡା ଅଣ୍ଟିଟାରେ ମୋର ଭାତମୁଠା ଦିଏ ନା ଅଜାଡ଼ି-

ଲକ୍ଷ୍ମୀର ବଜାରେ ଆଜି ମରେ ମୁହିଁ ଭୋକ ଉପାସରେ

ତଥାପି ଏ ଲକ୍ଷ୍ମୀର ବଜାର-ଲକ୍ଷ୍ମୀ କିବା ଅପମାନେ ଡରେ ?

ଅନ୍ନପୂର୍ଣ୍ଣା ପୂଜାପାଏ କାଙ୍ଗାଳର କଙ୍କାଳରେ ନାଚି

ତଥାପି ଲାଗେ ନାହିଁ ତାକୁ ଅପମାନ ଅପବାଦ କିଛି ।

+ + +

ଏଇ ବଡ଼ କୋଠାଘର ମୋର ପାଇଁ ବିଧାନ କେ ଗଢ଼େ

ଉଚ୍ଚତାର ବକ୍ତିମାରେ-କରତାଳି-ଘର ଫାଟିପଡ଼େ-

ନିତି ତ ଦେଖୁଛି ସେଥି କେତେ ବାବୁ ଯାଆନ୍ତି ଆସନ୍ତି

ଘରଠୁଁ ଆସ୍ଥାନ ଯାଏ ଭୁଇଁତଳେ ପାଦ ନପକାନ୍ତି,

ସବୁ ଦିନ ଦେଶ ଆଉ ନଥିନେଇ କରନ୍ତି ସେ ହୁରି

ଉପାସୀ ମୁଁ ବୁଲେ ଚିରଦିନ-ପେଟ ମୋର ନ ପାରଇ ପୂରି ।

ମୋର ଦୁଃଖ ଗାଇବୁଲେ ଖବରକାଗଜ

ମୋର ଲାଗି ତାର ଯାଏ, ଫାଟୁଥାଏ ସରକାରୀ ମେଜ-କାହିଁ ?

ସରକାର ଆସେନା ତ’ ପେଟ ମୋର ପୂରାଇବା ପାଇଁ ।

ସରକାର ଶାସନ କରିଲେ ଛାଡ଼ିଥାନ୍ତି ଦେଶ ପିଲା ଘର ?

ସରକାର ପ୍ରଜା ପାଳୁଥିଲେ ବୁଲୁଥାନ୍ତି ପଥର ଫକୀର ?

ହେଉଥିଲେ ମୋପାଇଁ ଆଇନ୍ ମରୁଥାନ୍ତି ମୁଇଁ ରାସ୍ତାକଡ଼େ

ଛାଡ଼ି ମୋ ପରିବାର ପୁତ୍ର-ବୁଲୁଥାନ୍ତି ଆସି ଏତେ ଦୂରେ ?

କୋଠାଘରେ ବସିଚି ଦପ୍ତର, ଖଟୁଛନ୍ତି ସମସ୍ତେ କିରାନୀ

ମୁଁ ତ ଖାଲି ଗଣୁଚି ଖଜଣା-ମୋର ଦୁଃଖ କେ ବୁଝିବ ପୁଣି !

ଉଚ୍ଚ ତାର ଭାଗ୍ୟ-ପୂର୍ବଜନ୍ମ,

(ନହେଲେ) ମୁଁ ଆସନ୍ତି ଘର ଦ୍ଵାର ଛାଡ଼ି-

ମୋ ଘରେ ସେ କରନ୍ତା ଶାସନ ?

+ + +

ଏକା ଏକା ଆସିଥିଲି ଘରୁ ଗୋଡ଼ କାଢ଼ି

ତୁଟାଇଚି ସବୁ ବାଧା-ଏକ ପେଟ ପୋଷିବ ମୁଁ ବୋଲି ।

ତଥାପି ପୂରେ ନା ପେଟ ଭାତ ନାହିଁ ସରକାର ଘରେ

କେ ମୋତେ ପାଳିବ ଆଜି, ମିଛେ ସିନା ମନକୁ ପଚାରେ ?

ସରକାର ହୋଇଥିଲ ମୋର, ହାତେ ମୋର ଥିଲେ ଏଇ କୋଠା

ଗଛ ତଳେ ମରୁଥାନ୍ତି ଆଜି ନପୂରନ୍ତା ପେଟ ଚାଖଣ୍ଡଟା ?

ମୋ ଲାଗି କାନୁନ୍ ବହି ଛପା ହୋଇଥିଲେ

ଘରୁ ଛାଡ଼ି ପଳାନ୍ତି ମୁଁ ବାପ, ମରିବାକୁ ବାଟେ କଲବଲେ ?

୨୨-୧୦-୪୩

 

ଚୋର

 

(୧)

 

ଉଚ୍ଚ ଏଇ ଇଟାର ପାଚେରୀ,

ହୋଇଛି ମୋ ସଂସାରର ସୀମା-କଏଦୀ ମୁଁ-ଯଦି ଏଠି ମରି ।

ସେ ପାଖରେ ଆନନ୍ଦର ସୁଅ ବହିଯାଏ

କେତେ ଆଡ଼ମ୍ବରେ ଧନୀ ତା’ ବିପଣୀ ନିଏ,

ରୁଦ୍ଧ ପଥ, ପାରେନା ମୁଁ ଦେଖି-

ସେ ପାଖରେ ଚାଲିହାଏ କିଏ ?

ଅସୀମ ସୀମା ଜଗତର

ତା ମଝିରେ ଛୋଟ ଜଗତରେ ବନ୍ଦ ଆଜି ପଥ ଜୀବନର,

ଏଇଠି ମୁଁ ଖାଇବି ବଞ୍ଚିବି-

କାମ ଖଟି ଯିବ ଏଠି ମରି

ଏଇଠି ମୁଁ ଧୂଳିରେ ମିଶିବି-

ଏ ଜୀବନ ଯେବେ ଯିବ ସରି ।

ଏ ମଣିଷ ଆଲୁଅର ଜୀବ,

ତାପାଇଁ ଆଲୁଅ ଝରେ-ଆଲୋକେ ସେ ଜୀବନ ପାଇବ ।

ପର୍ବତରେ ଫୁଲ ଫୁଟେ-

ଝରଣାଟି ଝରୁଛି ସତତ

ଉତ୍ସବର ଘଣ୍ଟା ବାଜେ-

ମଣିଷର ଲାଗି ଶୁଭେ ଗୀତ ।

ରାତିର ଆକାଶ ଚିରି

ଚାନ୍ଦ ଆସେ ହସେ ଏ ମଣିଷ

ସାରା ରାତି କାକର କଣାରେ

ଏ ସଂସାର ମୁକୁତାର ଦେଶ-

ହସ ହସ ବଦନ ଶିଶୁର

ମଣିଷର ସୁଖ ଲାଗି ସବୁ-ଏ ମଣିଷ ଜଗତରେ ସାର ।

ମଣିଷ ମୁଁ ଏ ଜଗତ ଉପଭୋଗ ପାଇଁ

ଦିନେ ହେଲେ ପାଇଲି କି ସୁଖ-

ମଣିଷ ମୁଁ, ବଞ୍ଚିଚି କା’ ପାଇଁ ?

ଏ ପାଖରେ ସେ ଫୁଲ ଫୁଟେ ନା-

ସେ ପବନ ଆଣେ ନାହିଁ ବାସ

ପୂରୁବର ଚାନ୍ଦଟି ଦିଶେନା-

ଦେଖେନା ମୁଁ ଆଲୋକର ନାଚ ।

ସବୁ ସ୍ଵପ୍ନ-ଦୁନିଆରୁ,

ଅଲଗା ଏ ରାଜ୍ୟ

ନାହିଁ ଏଠି ଆଲୋକର ଶୋଭା,

ନାହିଁ ଫୁଲ ସୁରଭିତ ସଜ !

ପଶୁଭଳି ଖାଇ ଖାଇ

ଖଟି ଖଟି ଖାଲି

ଯିବ ଜୀବନଟା ଏଠି-

ଚାଲି ଚାଲି ଚିର ମରୁବାଲି ।

ରସହୀନ ପ୍ରାଣ ବଞ୍ଚି-

ପେଟ ଭରି, କରିବାକୁ କାମ

ବଞ୍ଚିତ ଏ ସୃଷ୍ଟିର ମଣିଷ

ବିଧାତାର ବିଚିତ୍ର ନିୟମ ।

ମଣିଷର ଜୀବନ ମହାନ

ସେଥିପାଇଁ ମରଣରେ ବିଧାତାର ହେବ ଅପମାନ !

ପର ପାଇଁ ଖଟି ଖଟି

ମୃତ୍ୟୁ କଷ୍ଟ ଭୋଗୁଥିଲେ ପଛେ

ସେ ବିଧାତା ପାଇବ ଆନନ୍ଦ-

ମଣିଷ କି ଶ୍ରେଷ୍ଠ ଜୀବ ମିଛେ ?

ସେଥିଲାଗି ଜୀବନ ବଞ୍ଚିଚି

ଜଗତର ମୁଇଁ ଶ୍ରେଷ୍ଠ ପ୍ରାଣୀ

 

ମୃତ୍ୟୁଠାରୁ ମରଣ ଜନ୍ତ୍ରଣା

ବରଣୀୟ-କାମ୍ୟ ମୋର ପୁଣି !

ପଶୁପରି ଦିନ ବଞ୍ଚି

ମଣିଷ ମୁଁ-ଏ ଦେଶର ଲୋକ

ଏ ମଣିଷ-ସମାଜର ସଭ୍ୟ-

ଏ ଦେଶର ସଚ୍ଚା ନାଗରିକ !

ମୋ ଲାଗି ଆଇନର ପୋଥି-

ଦପ୍ତରର ହାକିମ କିରାନୀ

ମୋ ଲାଗି ଏ ବଡ଼ କୋଠାଘର-

ଏ ଦେଶର ମୁଁ ଯେ ଏକ ପ୍ରାଣୀ !

+ + +

ଏ ହାତରେ ସନ୍ତାନ ହାଣିଚି,

ଏ ଦେହରେ ମଣିଷର ଲହୁ

ଆନନ୍ଦରେ ବୋଳି ମୁଁ ହୋଇଚି !

ଗରଜିଚି ଦିନେ ପଶୁପରି

ନାଚିଚି ମୁଁ ରୁଦ୍ରପରି ଦିନେ ମୋ ପୁଅର ଘଣ୍ଟିକା ଓଟାରି ।

ସେ ଦିନ ସେ ପ୍ରଳୟର ରାତି-

ସେ ବିଜୁଳି ଘଡଘଡ଼ି ଡ଼ାକ

ସତେ ଅବା ଚାହିଁ ବସିଥିଲେ

ଲହୁ ପାଇଁ ସବୁ ଯମଯାକ ।

ଶିରି ଶିରି ଆସୁଥିଲା ବାଆ-

କରାଳରୁ କରାଳ ମୁଁ ହେଲି

ଭୀଷଣ ସେ ଅନ୍ଧାର ରାତିରେ

ମୋ କୁଳର ଦୀପ ଲିଭାଇଲି ।

ଗର୍ଜୁଥିଲା ବରଷାର ଧାରା

ଯମର କରାଳ ରଥ

ତା’ ଢେଉରେ ଆସୁଥିଲା ପରା ?

ଥିଲି ଦିନେ ଯାହାର ମୁଁ ପିତା

ପ୍ରାଣ ଖୋଲି ଦେଉଥିଲି ଯାରେ

ଅନ୍ତରର ସେନେହ ମମତା

ତାର ବେକ ମୋଡ଼ିଚି ମୁଁ ଆଜି

ହୋଇଚି ମୁଁ ବାଳକର ହନ୍ତା !-

ତଥାପିରେ ଗଲାନାହିଁ ପ୍ରାଣ

ହାକିମ ଯେ ଦୁଃଖରେ କାନ୍ଦିଲା-

ଫାସୀଲାଗି ଗଲାନି କଲମ ।

ସାରା ଜୀବନର ପାଇଁ

ଦଣ୍ଡଭୋଗ ଦେଲା ସିଏ ଲେଖି,

ସେ ପାଖରେ ଖେଳ ସାରି-

ଏ ଦୁନିଆ ଆସିଚି ମୁଁ ଦେଖି ।

+ + +

ନ ପାରି ମୁଁ କିପରି ସହନ୍ତି

ପୁଅର ଶୁଖିଲା ମୁହଁ

ଦେଖି ଦେଖି କିପରି ରହନ୍ତା !!

ଭୋକ ମେଣ୍ଟାଇବା ପାଇଁ

ବୁଲିଲି ମୁଁ ବାରଦ୍ଵାରେ ଯାଇ

ଦୀର୍ଘଶ୍ଵାସ କେତେ ଅଜାଡ଼ିଲି-

ଧାନ ସେରେ ନପାଇଲି କାହିଁ-

ଆସୁଥିଲି-

ରାତି ମେଘ, ଅନ୍ଧକାର ଆସୁଥିଲା ମାଡ଼ି,

ଖାଲି ହାତେ ନିରାଶରେ ଆସୁଥିଲି ଘରକୁ ବାହୁଡ଼ି ।

ପେଟତଳେ ଜଳୁଥିବା ଭୋକ

ଚମତଳେ ତେଣ୍ଟାମାରୁଥିଲା ଉପବାସ ଯାତନାର ଦୁଃଖ

ବସିଲି ମୁଁ କୁଡ଼ିଆରେ

ମୁଣ୍ଡେ ହାତ ଦେଇ

‘କିଛି ଆଣିଥିବ ପରା,’

ମୋ ଭାରିଯା ଆସିଲା ଯେ ଧାଇଁ-

ମୋ ପିଲାଟା କାନ୍ଦି କାନ୍ଦି

ଖାଇବାକୁ ମାଗୁଥିଲା ତାକୁ,

ଦେଖି ମୋର ଖାଲି ହାତ-

ଆଖି ନିଆଁ ଫାଟିଲା ତା ବୁକୁ ।

ଭୋକର ମଣିଷ ସିଏ

ନପାରିଲା ବୁଝି

ଧାନ ପାଇଁ ବୁଲି ବୁଲି

କିପରି ମୁଁ ଯାଇଥିଲି ସିଝି-

ଫେରିଲା ସେ ବିରସ ମନରେ

ଅଜ୍ଞାନ ପିଲାଟା ପୁଣି ଧାଇଁଲା ପଛରେ-

ପିଲାଟାକୁ ସମ୍ଭାଳି ନପାରି

ପଠାଇ ସେ ଦେଲା ମୋର କତି

ଉଚ୍ଛନ୍ନ ସେ କଲା ମୋତେ ଆସି-

ଭାତ ମୁହଁ କୁଆଡୁ ପାଆନ୍ତି ?

ଭୁଲିଥିଲି ବାଳକ, ମୋ ଘର-

ଉପାସର ଜଳୁଥିବା ନିଆଁ

ଭାବୁଥିଲି ଖାଲି ହାତଟାରେ

କିପରି ମୁଁ ବଞ୍ଚିବି ଦୁନିଆ !!

ପିଲାଟା ଯେ କାନ୍ଦି ମୋର

ଚିନ୍ତା ଦେଲା ଭାଙ୍ଗି

ଭୋକର ପଞ୍ଜରା ତଳେ

ଦୁଷ୍ଟ ଭୁତ ଉଠିଲା ଗରଜି

ଟାଣି ଆଣି ସେ ଶିଶୁକୁ

ଦେଲି ତାର ଘଣ୍ଟିକାଟା ଚିପି

ରକ୍ତ ବାନ୍ତି କରି ତାର

ମଲା ଦେହ ତଳେ ଗଲା ଲୋଟି-

ଗରଜି କହିଲି,-

ଗଲା ମୋର ପଥର କଣ୍ଟକ-

ମୋତେ ଆଉ ନ ପଡ଼ିବ

ଦ୍ଵାରେ ଦ୍ଵାରେ ମାଗିବାକୁ ଭିକ’ ।

ଅନ୍ତରରେ ଗର୍ଜିଲା ପ୍ରେତାତ୍ମା

ଜାଣି ମୁଁ ପାରିବି କାହୁଁ-ସେ ମୋ’ ପୁଅ-ମୁହଁ ତାର ପିତା ?

ଯମ ଦିନେ ଟାଣିଥାନ୍ତା ଯାରେ

ନିଜେ ମୁଁ ଘଣ୍ଟିକା ଚିପି

ଯମଘରେ ପଠାଇଲି ତାରେ ।

କେତେଦିନ ଦିନ ରହିଥାନ୍ତା

କାଙ୍ଗାଳ ପିଲାଟା ?

କେତେ ଦିନ ବଞ୍ଚିଥାନ୍ତା

ଅଧମରା ଆକୁଳ ଜୀବଟା ?

ଦିନେ ଭୋକ ଉପାସରେ

ଚିର ଦିନ ଶୋଇଥାନ୍ତା ସିଏ

ଶକ୍ତି ତା’ର-ଦାନା ଦେଇ

ଯମ ହାତୁଁ ଟାଣୁଥାନ୍ତା କିଏ ?

ନାହିଁ ଆଉ ଭୋକ କଷ୍ଟ ମୋର,

ଦୁଇଓଳି ଖାଇ ଖାଇ

ଦୋହଲୁଚି ପୃଥୁଳ ଶରୀର-

ହାକିମ ମୋ କଷଣ ବୁଝିଚି

ଜୀବନଟା ସଜାଦେଇ

ଭୋକ ଜାଳା ମୋର ମେଣ୍ଟାଇଚି ।

କଲମ ମୂନରେ ଯେଉଁ

ସରକାର ହରେ ଭୋକ ଦୁଃଖ

କାଙ୍ଗାଳକୁ ପୋଷେ କାରାଗାରେ-

ମୁଇଁ ତାର ଦେଶ ନାଗରିକ ।

୧୮-୧୦-୪୩

 

(୨)

 

ହାକିମର ନିଠୁର କଲମ

ଗାରଦକୁ ପେଷିଲା ମା’ କୁ -ଦୋଷୀ ତାକୁ, କଲା ଏ ଶାସନ ।

ଦୋଷ ତାର କରିଚି ସେ ଚୋରି-

ରୁଟି ଖଣ୍ଡେ ବାଟ ବିପଣୀରୁ,

ଭୋକେ ଯେବେ ପେଟ ହେଲା ଘାରି ।

+ + +

ପଡ଼ିଚି ଏ ରାଜମାର୍ଗ ଛାତି

ନିଜ ସୁଖ କୁତୁହଳେ କେତେ କିଏ ଯାଆନ୍ତି ଆସନ୍ତି ।

ଝାଡୁ ନେଇ, ସଫା କରି ରାସ୍ତାରେ କଚରା

ଭରାଏ ସେ ମେହେନ୍ତର ଗାଡ଼ି-

ଖଟି ଖଟି ମରେ ସେ ଦିନ ସାରା ।

ଆଭରଣ ଛୋଟ ଲୁଗାଟିଏ

ଖସିପଡ଼େ କଥା କହୁ କହୁ

ସାତ ତାଳି ପଡ଼ିଚି ସେଥିରେ,

ଲାଜ ତାର ଲୁଚିବରେ କାହୁଁ ?

 

ଦିନଯାକ ଝାଡ଼ୁ ଦେଇ ଫେରେ

ସ୍ଵାମୀକୁ ସେ ଅଫିମ ଯୋଗାଏ-ପିଲା ଦୁଇ ବାନ୍ଧିଚି ବେକରେ,

ଭୋକିଲା ପିଲାକୁ ଦିନେ

ଶାନ୍ତ କରି ଆସିଲା କାମକୁ

ଫେରିଲା ବେଳକୁ ନେବ

ଧାନ ସେରେ-ଅଫିମ ତମାଖୁ ।

ସେଦିନ ତ ନ ଜୁଟିଲା ଫଟା ପାହୁଲାଏ

ଭୋକିଲା ପିଲାର ଜାଳା ସାହିବ କି କିଏ’ ?

ଝାଡ଼ୁ କରୁ କରୁ ପାଶେ

ଦେଖିଲା ସେ ଖାଦ୍ୟର ଦୋକାନ

ରୁଟି ଖଣ୍ଡେ ଝାମ୍ପି ନେଲା,

ରଖିବାକୁ ଶିଶୁର ଜୀବନ

ବଡ଼ ଆଶା କରି ମାଆ ଧାଇଁଲା ଆକୁଳେ

‘ପୁଅ ପାଇଁ ଆତୁର ଏ ମାଆ’-

ଦୁନିଆ କି ବିଚାରେ ତାକୁ ରେ ?

ପଛେ ତାର ଗୋଡ଼ାଇଲେ

ସରକାରୀ ଅନୁଚର ଯେତେ

ଚୋରି ଟୀକା ତା’ କପାଳେ ଲେଖି,

ସରିବେ ସେ ଧାଇଁଲେ ପଶ୍ଚାତେ ।

ପୁଅ ପାଇଁ ଚୋରି କଲା ମାଆ-

ରୁଟି ହାତେ ଧାଏଁ ଆକୁଳରେ

ଉଗାଳିଲା ଦେଶର ଆଇନ୍-

ବନ୍ଦ କଲା ବାଟ ମଝିଟାରେ ।

ଆଇନର ପାଶେ ବନ୍ଧା ହେଲା

ପଶିଲା ସେ ଗାରଦରେ ଆସି

ପୁଅ ହେଲେ ଖାଇଥାନ୍ତା ରୋଟି-

ଘରେ ସେ ଯେ ରହିଲା ଉପାସୀ ।

ଏ ଦେଶର ହାକିମ କହିଲା-

‘ପରର ଯେ ଧନ କଲା ଚୋରି

ସ୍ଥାନ ତାର ଗାରଦ ଅନ୍ଧାରେ

ପାଇବ ସେ କାରାଗାର ବେଡ଼ୀ ।’’

ବୁଝିଲା କି କେତେ ବ୍ୟାକୁଳତା,

ମମତାରେ ମାଆ କାନ୍ଦୁଥିଲା

କେଉଁ ସ୍ନେହ କେଉଁ ଡୋର ଟାଣେ

ପୁଅ ପାଇଁ ମାଆ ଚୋରି କଲା ?

+ + +

ସବୁଦିନେ ଚାଲିଚି ତ ଚୋରି

ଏ ଦେଶର ସହସ୍ର କାଙ୍ଗାଳ କାରାଗାର ଦେଉଚନ୍ତି ଭରି-

କେତେ ଯେ ହାକିମ-କେତେ

ଖାତା ପତ୍ର କାଳି ନଷ୍ଟ ହୋଇ

ଏ ଦେଶର ସରକାର ଦିଏ

ଭୋକୀ କେତେ ଗାରଦେ ପୂରାଇ ।

ହାକିମ କି ପଚାରିଚି କେବେ

ଚୋରି କରେ କାହିଁକି କାଙ୍ଗାଳ ?

ବେତମାଡ଼ ବରେ କି ଆମୋଦେ ?

+ + +

‘‘ପେଟ ମୋର ପୋଡ଼ିଯାଏ-

ମାଂସ ଖାଏ ଧନୀର କୁକୁର

ସେ ମାଂସ ମୁଁ ଛଡ଼ାଇଲେ

ଏ କାନୁନ୍ କହେ ମୋତେ ଚୋର ।

ପିଲାମୋର ରୋଗେ ସଢ଼େ

ଧନୀଲାଗି କାଚ ଘରମାନ

ପଥିପାଇଁ ଧାନ ସଜାଡ଼ିଲେ

ଦଣ୍ଡ ମୋତେ ଦିଏ ଏ ବିଧାନ !

ଗାଡ଼ି ଘୋଡ଼ା ଜଣେ ଚଢ଼େ-

ଆଉ ଜଣେ ଆଶ୍ରା କରେ ବାଡ଼ି

ମନ କଥା ପଦାରେ କହିଲେ-

ବାନ୍ଧେ ସିନା ଆଇନର ବେଡ଼ୀ !

ମୋର ଘର ଛାତ ଉଡ଼ିଯାଏ

ଖରାବର୍ଷା କାକରେ ମୋର ଘରେ ମୁଇଁ କଷ୍ଟ ପାଏ ।

ଜମିଦାର, ଧନୀମାର୍କା

ମହାଜନ ଯେତେ

କରେ ଭୋଗ ଉତ୍ସବ ବିଳାସ-

ପଶୁପରି ହସାଇ ସେ କେତେ ।

ମୋ କୁଟୀର ଆଗ ରାସ୍ତା ଦେଇ

ଧନୀର ମଟର ଚାଲେ-ମର ମର ମୋ ବୁକୁ କମ୍ପାଇ ।

ଧନୀର ସେ ତିନିତାଲା ଛାତ

ମୋ ଗାଁରେ ମୁଣ୍ଡ ଟେକେ ଉଚ୍ଚେ, ମୋ କୁଟୀରେ କରେ ପଦାଘାତ !

ତାର କୋଠା-ଗାଡ଼ି-ରୂପ

ପୋଷିବାକୁ ଟଙ୍କା ଗଣେ ମୁହିଁ

ଖଞ୍ଜଣା ନ ଦେଲେ ଥରେ-

ଜମି ଯାଏ ତା ସମ୍ପତ୍ତି ହୋଇ ।

ହସିବ ସେ ଅସୁର ହସରେ

ଖଜଣା କି ଗଣିବି ମୁଁ ଖାଲି-

କାନ୍ଦି କାନ୍ଦି ମରିବି ଶେଷରେ ?

ଜମିଦାର ଖଟିବାକୁ ପ୍ରଜା-

ଏ ଦେଶର ବିଚାର କହିଚି

ସେଥିଲାଗି ସରକାର ମୋର

ଚଉଷଠି କର ବସାଇଚି-

ଜନମିଚି ହତଭାଗା ଜନ୍ମ-

ହତଭାଗା ହୋଇ ଯିବ ମରି

ଭାଗ୍ୟବାନ ଜନମ ଧନୀର-

ଭାଗ୍ୟ ତାର ଯିବ ସିଏ ଗଢ଼ି ।

ଗଣିବ ମୁଁ ଭାତ ହାଣ୍ଡି କଷି

ଟଙ୍କା ତାକୁ ଜୀବ ଥିବାତକ

ନ ଦେଲେ ମୁଁ ଦୋଷୀ-ମୋରପାଇଁ

ଖୋଲିଯିବ କାହାର ଫାଟକ

ଏ ସଂସାର ସ୍ଵାର୍ଥର ସଂସାର

ଆରଜନ୍ତି ଯେଝାପାଇଁ ଯିଏ

ନିଜ ପେଟ ଭରନ୍ତି ସମସ୍ତେ,

ଚୋରି ଏଠି ନ କରୁଚି କିଏ ?

ଯେତେ ଲୋକ ଏ ପଥେ ଯାଆନ୍ତି,

ପର ବିତ୍ତ ଚୋରି କରି-ଭୀତ ତ୍ରସ୍ତ ସମସ୍ତେ ଧାଆଁନ୍ତି ।

ଗାଁ କଣ ଜମିଦାର ଯେତେ

ଆଖିଆଗେ କରୁଛନ୍ତି ଚୋରି ଦିନ ରାତି କଉଶଳେ କେତେ ।

ଯେ ହାକିମ କଲା ମୋତେ ଦୋଷୀ

ଗରିବ ବେକରେ ନିତି ଗଳାଏ ଯେ ଫାଶୀ

କରେ ଚୋରି କଲମର ମୁନେ-

ଚୋରି କରେ ଟଙ୍କା ରାଶି ରାଶି ।

ସମସ୍ତେ ତ ଚୋର ଜଗତରେ,

ମୁହଁ କିଆଁ ଦଣ୍ଡ ପାଏ ଏକା-ନଆସନ୍ତି ସେମାନେ ସାଥିରେ ।

‘ଚୋରି ଯିଏ କରେ ଦଣ୍ଡ ପାଏ’

ଏ ଦେଶର ବିଧାନ କହୁଛି

ସମସ୍ତେ ତ କାରା ଭୋଗୁଥାନ୍ତେ-

ମୁହଁ କିଆଁ ହେଲି ଏକା ଦୋଷୀ ?

ମୋ ହାତରେ ବେଡ଼ୀ ପଡ଼େ-

ଦୁନିଆ ହସୁଚି

ସମସ୍ତେ ସାଧୁଟି ପରି ଭଲଲୋକ-

ଦୁନିଆ ସହିଚି ।

ତାଙ୍କ ହାତେ କଲମର ମୁନ-

ତାଙ୍କ ଦେହେ ଗରମ ପୋଷାକ

ଦରବାରେ ସଜ୍ଜନ ସେମାନେ-

ଏକା ମୁଇଁ ଅନ୍ଧାରର ପୋକ !

ଖାଇବାକୁ ମିଳେ ନାହିଁ ବୋଲି-

ହାତେ ମୋର ପଡ଼ିଚି ଶିକୁଳି

ଖାଇ ଖାଇ ଅଜୀର୍ଣ୍ଣ ତାଙ୍କର-

ଭଲ ଲୋକ ସିଏ ଚୋରି କରି !

ଗରିବକୁ ଚୋରି କରି ଏ ଧନୀ ହସୁଛି,

ଗରିବକୁ ଫାଶୀରେ ଝୁଲାଇ ଧନୀ ଚୋର କଲମ ଚଷୁଚି ।

ମୁଇଁ ସିନା ଆହାର ନପାଇ

ବିକଳରେ ଚୋରି କଲି ରୋଟି

ଅୟସରେ ବୁଡ଼ି ସିଏ ଧନୀ,

ଚୋରିକରି ବଞ୍ଚେ ଦିନ ରାତି ।

ଦୁନିଆରେ କିଏ ବଡ଼ ଚୋର ?

ଜଣେ ଖାଏ-ଜଣେ ପାଏନାହିଁ-ଅପରାଧ ଅଧିକ କାହାର ?

ଛୁଆ ମୁହେଁ ଆହାର ଦେବାକୁ

ହତାଶ ମୁଁ ଚୋରି କରେ ରୁଟି

ତାର ପିଲା ଆନନ୍ଦେ ହସନ୍ତି-

ତଥାପି ସେ ଚିପେ ପର ତଣ୍ଟି ।

ଏ ଦେଶର ଦରବାର

କରେ ମୋତେ ଦୋଷୀ

ଧରମର ଦରବାରେ

କା’ ଗଳାରେ ଲଗାଯାଆନ୍ତା ଫାଶୀ ?

ସେଇ ଚୋର-ତାର ହାତେ

ଏ ଦେଶର ନିୟମର ପୋଥି

ତା ସ୍ଵାର୍ଥରେ ତା କଲମ ଚାଲେ

ଚିପିବାକୁ ଗରିବାର ତଣ୍ଟି’’

ଗରିବର କୁଡ଼ିଆଟି ଭାଙ୍ଗି

ତା’ କୋଠାରେ ଉଡ଼ୁଚି ପତାକା

ଦରିଦ୍ରର ଦୀପଟି ଲିଭାଇ-

ତା’ର ଦୀପ ଜଳେ ଶତଶିଖା ।

ତା’ ଆଇନ-ତାର ସ୍ଵାର୍ଥ ପାଇଁ-

ପିନ୍ଧାଇଚି ମୋତେ ଚୋର ଟୀକା

ତା’ରି ପାଇଁ ଖଟେ ମୁଁ କାରାରେ-

ତା’ରି ଲାଗି ଯାବତ ଜୀବିକା ।’’

୧୯-୧୦-୪୩

 

ଶିଶୁ

 

(୧)

 

ଜାତିମରେ ଭବିଷ୍ୟତ ମରେ ହାହାକାରେ ପଥଧାରେ ଆଜି

ତଥାପି ଏ ଆକାଶ ରହିଚି, ଖଣ୍ଡ ଖଣ୍ଡ ନ ପଡ଼ୁଚି ଭାଜି

ଆକାଶରେ ତାରା ଫୁଟେ କେତେ-ରାତ୍ରି କୋଳେ ଖେଳେ ପୂର୍ଣ୍ଣ ଶଶୀ

ଶ୍ମଶାନରେ ଜୀବନର କଳା-ଦେଖି କିଏ ଉଠିବରେ ହସି ?

ଗଙ୍ଗାନଦୀ ଦେଶେ ଆଜି ଦୁର୍ଭିକ୍ଷର ମରୁଭୂମି-ଯାତ୍ରା

ଜଳ ବିନା ମରିବି ପଥିକ-ଲୁଚିଯିବ ଜୀବନର କଥା ।

ଲୁଚେ ସବୁ ପ୍ରଳୟ ଅନ୍ଧାରେ ଖୋଲାଆଜି ମୃତ୍ୟୁର ଫାଟକ

ରୁଦ୍ରରୂପେ ମାଡ଼ି ଆସେ ମୃତ୍ୟୁ, ମଣିଷକୁ ଖାଇଯାଏ ଭୋକ

ମା’ ଛାତି ଦୁଧ ଯାଏ ଶୁଖି-ମାଆ ଖାଏ ଶିଶୁକୁ ବିଦାରି

ସ୍ନେହ ପ୍ରେମ ସବୁ ମରିଛିରେ, ଦେଶେ କେହି ନୁହନ୍ତି, କାହାରି

ଭୋକ ଭାରେ ପାଗଳ ସକଳେ ଯୁଝୁଚନ୍ତି ମଣିଷ କୁକୁର

ହତାଶାରେ ଲୁଚି ପଳାଉଚି ବାପ ଆଜି ଛାଡ଼ି ପରିବାର

ଲୁପ୍ତ ହୁଏ ମମତା-ସଂସାର, ଜଳିଯାଏ ଆଜି ମନୁଷ୍ୟତା

ଯମ ଦାଣ୍ଡେ ଗୋଡ଼ାଇଛି ପଛେ ଘର ଛାଡ଼ି ପଳାଉଚି ପିତା ।

ଏ ଦେଶରେ ସରକାର ଚାଲେ-ପ୍ରତିନିଧି କାନୁନ ଗଢ଼ୁଚି

ଧନୀ ଆଜି ଗାଡ଼ି ଚଢ଼ି ବୁଲେ, ଦେଶ ଆଜି ମଶାଣି ହୋଇଚି

ଲକ୍ଷ ଲକ୍ଷ କଙ୍କାଳ ଚାଲିଚି-ହାତେ ଧରି ଶୁଖିଲା ଖପରା

ଭାତଟାଏ ଖୋଜି ପାଇବାକୁ ନାଗରିକ ଖେଳାଏ କଚରା ।

ଦେଶ ଆଜି ହାହାକାରେ ମରେ ରଖିବାକୁ କେହି କାହିଁ ନାହିଁ

ବତାସ ଯେ ଗରଜି ଉଠୁଚି-ଅନ୍ଧକାରେ ପଥ ଦିଶେ ନାହିଁ

ଏ ମଣିଷ ନ ପାରୁଚି, ଚିହ୍ନି କିଏ ପୁଅ କିଏ ତାର ଭାଇ

ଭୋକେ ଜଳେ ହୁତାଶନ ନିଆଁ-ଆଖି ଖୋଲି ନପାରୁଚି ଚାହିଁ ।

ସେଥିପାଇଁ ପରିବାର ଛାଡ଼ି ବାପ କାହିଁ ପଳାଏ ଏକାକୀ

ପୁଅପାଇଁ କାନ୍ଦେନାହିଁ ପ୍ରାଣ, ପୁଅର ସେ କଙ୍କାଳଟା ଦେଖି

ମାଆ ଚିହ୍ନିପାରେ ନା ଶିଶୁକୁ, ଛାଡ଼ିଯାଏ ରାସ୍ତା ମଝିଟାରେ

ଶିଶୁକୁ କୁକୁର ଖାଏ, ମା’ ଆଖିରୁ ଲୋତକ ନ ଝରେ ।

ଏଇ ଦେଶେ ଏ ଘୋର ଦୁର୍ଦ୍ଦିନେ ସ୍ନେହ ମରେ,ମରେ ସୁଖ ଶାନ୍ତି

ଗରଜୁଚି ଭୋକର ରାକ୍ଷସ-କେ କାହାକୁ ଚିହ୍ନି ନପାରନ୍ତି

ଆପଣାର ପୁଅ ମରିଯାଏ,ମାଆ ତାକୁ ନିଏ ନାହିଁ ତୋଳି

ଶିଶୁଟାର ତଣ୍ଟି ଚିପି ଦେଇ ବାପ ଦୁରେ ଯାଏ ଚାଲି ।

କି ଗାଇବୁ, କି ଗୀତ ଲେଖିବୁ, କି ଭାବନା ରଖିବୁ ସାଇତି ।

ଫୁଲ ନାହିଁ ଉଦ୍ୟାନରେ କବି, ମିଛେ ସିନା ବସୁ ହାର ଗୁନ୍ଥି

କାନ୍ଦି କାନ୍ଦି ଫଟାଅ ଆକାଶ, ପଥରର ଭାଙ୍ଗି ଯାଉ ସୁପ୍ତି

କବି ଆଜି ବିଦ୍ରୋହୀ ସାଜରେ, ଚାଲ ଆଜି ଏ କୁହୁଡ଼ି କାଟି

୨୩-୧୦-୪୩

 

ଦେଶର ଏ ମରୁଭୂମିପରେ

ଏକାକୀ ମରୁ ପଥିକ –ମରୁ ସାଥୀ ଖୋଜିବ କାହାରେ ?

ଯେତେଦିନ ମିଳୁଥିବ ଭାତ

ଯେତେଦିନ ବଳ ଥିବ ପ୍ରାଣେ ଯୁଝିବାକୁ କୁକୁର ସହିତ,

 

(୨)

 

ମରଣ ହାତେ ମାଆ ପିଲାକୁ ଛାଡ଼ିଯାଏ

ବିଲୁଆ ଆସି ତାର କଲିଜା ଚିରିଖାଏ

ଚାହେଁ ନା ଫେରି ମାଆ-ଯାଏ ସେ କେତେ ଦୂରେ

ମାଆ ବିହୁନେ ସିନା ଭବିଷ୍ୟ ଝଡ଼ି ମରେ !

ବିଜୟା ଆସିଥିଲା-ତାର ଅର୍ଚ୍ଚନା ପାଇଁ

ମାଆ ପୂଜିଚି ତାକୁ ଛୁଆର ମୁଣ୍ଡ ଦେଇ

ଘରର ସବୁ କଣେ ଦୁର୍ଭିକ୍ଷର ହାତ ବୁଲେ

କାହୁଁ ପୂଜିବ ମାଆ ଆନନ୍ଦେ ଦେବତାରେ ?

ଭୋକରେ ମାଆ ଆଜି ଭୁଲିଲା ମାତୃ ସ୍ନେହ

ଶିଶୁକୁ ଛାଡ଼ି ଏକା ଢାଳିଲା ନାହିଁ ଲୁହ

ଭୋକରେ ବାୟାଣୀ ସେ ତା’ ପଥେ ଚାଲିଗଲା

ଏକାକୀ ମରିବ ସେ, ଏକାକୀ ଆସିଥିଲା !

ମାଆ ବୁଲିଚି ଶିଶୁ, ଶିଶୁ ମରୁଚି ଏକା

ମାଆ ଆହାର ଖୋଜେ, ଅନ୍ତରରେ ନାହିଁ ଶଙ୍କା;

ମାଆ ପୁଅର ମଧୁ ସମ୍ଵନ୍ଧ ଯୋଡ଼ିଚି ଯେ

ଶିଶୁ ତଣ୍ଟି ଚିପିବ ସେ ଆସେ ତାର ଶେଯେ

ଜଗତ ମାଆ ଆସେ ଖାଲା ପସରା ଧରି

କେତେ ସେ ପୂଜା ପାଏ ଶବର ସ୍ଥୂପ ଚଢି

ଚମର ମାଆ ଶିଶୁ ଭୁଲିଚି ସେଥିପାଇଁ

ଶିଶୁକୁ ଛାଡ଼ିଗଲେ ଚିନ୍ତା ତାହାର ନାହିଁ ।

ସେ ପାଇଁ ମାଆ ଖାଏ ଶିଶୁ ମାଂସ ଚିରି

ଶିଶୁର ତଣ୍ଟି ଚିପି ଗର୍ବେ ସେ ଉଠେ ଫୁଲି

ଦୁର୍ଭିକ୍ଷ ମୃତ୍ୟୁ ବେଳେ ଶିଶୁଟା ପାଖେ ଅଛି

ତାକୁ ମାରିଲେ ପରା ପାଇବ ମାଂସ କିଛି !

ନାହିଁ ବିକାର ଘୃଣା ନାହିଁରେ ମଗୁଷ୍ୟତା

ଭୋକ ଜାଳିଚି ସବୁ ସୌନ୍ଦର୍ଯ୍ୟ, ଉଦାରତା

ସେ ପାଇଁ ନର ମାଂସ ନରର ଖାଦ୍ୟ ଆଜି

ମଣିଷ ବଞ୍ଚୁଚି ଯେ ସ୍ନେହର ହନ୍ତା ସାଜି !

ଭୋକ ଆସିଚି ଦେଶେ ଦେଶେ ଭୁଲିଚି ପ୍ରେମ

ମଣିଷ ମାଂସ ପାଇଁ ଲୋଲୁପ ବ୍ୟାଘ୍ର ସମ

ଭୋକ ନଥାନ୍ତା ଯଦି ମୋ ପେଟ ପୂରୁଥାନ୍ତା

ମୋର ଶାସନ ଯଦି ମୋ’ ହାତେ ଚଳୁଥାନ୍ତା,

ଗଙ୍ଗାର ମାଟିପରେ ଯେ ଧାନ ଢେଉ ଖେଳେ

ସେ ଧାନ-ସେଇ ସୁନା-ପଡ଼ନ୍ତା ମୋ ହାତରେ,

ପା’ନ୍ତି ଲୁଗା ଖଣ୍ଡେ, ରହିବା ପାଇଁ ଛାତ

ମୋ ପିଲା ଇସ୍କୁଲରେ ପଢ଼ନ୍ତା ବଡ଼ ପାଠ

ମୁଁ କଣ ମାରିଥାନ୍ତି ମୋ ଭାଇ ପୋଡ଼ଶୀକୁ

ମାଆ କି ଖାଦ୍ୟ ପାଇଁ ଫାଡ଼ନ୍ତା ପୁଅ ବୁକୁ ?

କି ଚିନ୍ତା ଥାଆନ୍ତା ରେ ? ସ୍ଵାଧୀନ ପକ୍ଷୀ ପରି

ଉଡ଼ନ୍ତି ଦେଶେ ଦେଶେ ଉଚ୍ଚ ସଙ୍ଗୀତ ଭରି ।

୨୯-୧୦-୪୩

 

ଆତଙ୍କେ କେ ଲୁଚି ପଳାଉଚି-ମିଶେ ନାହିଁ ମୋର ଅଭିଯାନେ

ଶିଖେ ନାହିଁ ନୂତନର ଗୀତ-ଭବିଷ୍ୟର ଯୁଗ ଆବାହନେ ।

 

(୩)

 

କାଲି ଯିଏ ଗଢ଼ିଥାନ୍ତା ଦେଶ ସେ ଶିଶୁକୁ ବିଲୁଆ ଖାଉଚି

କାଲି ଯିଏ ଫୁଟିଥାନ୍ତା ଫୁଲ ମରଣ ତା ଜୀବନ ନେଉଚି

ମାଆ କୋଳେ ବଢ଼ୁଥିଲା ଶିଶୁ, ଦୋଳିପରେ ଦେଶ ଭବିଷ୍ୟତ

ସେ ଶିଶୁକୁ ରାଜପଥେ ଥୋଇ ମାଆ କେଣେ ଚାଲି ଯାଇଚିତ ।

 

ଆଜି ଯେ ଜାଣେ ନା କିଛି କାଲି ସିଏ ହୋଇଥାନ୍ତା ବଡ଼

ଦେଶପାଇଁ ଦେଇଥାନ୍ତା ମଥା, ତୋଳିଥାନ୍ତା କୋଣାର୍କ ଦେଉଳ

ମାଆ ସିନା ଗଢ଼ନ୍ତା ଭବିଷ୍ୟ, ଭୋକେ ମାଆ ଛାଡ଼ି ପଳାଇଚି

ସେଥିଲାଗି ଶିଶୁ ରାଜଦାଣ୍ଡେ ଶୃଗାଳର ଆହାର ହୋଇଚି ।

 

ଯେଉଁ ମାଂସ ରକ୍ତ ବଳି ପାଇ ଉଠିଥାନ୍ତା ଜାତିର ମଣ୍ଡପ

ହିମାଳୟେ ଉଡ଼ାନ୍ତା ପତାକା ଯେଉଁ ଜାତି ଶରୀରର ଧୂପ

ସେଇ ରକ୍ତ ସେଇ ମାଂସ ଖାଏ ପଥଧାରେ ଶୃଗାଳ ଶକୁନି

ସେ ଜାତିର ପ୍ରାଣ ପୋଡ଼ିଦିଏ ପ୍ରଳୟର ହୁତାଶ ଆଶନି ।

 

ଏଇଜାତି ଦେଇଚି କେବଳ ଜଗତର ପ୍ରତିଷ୍ଠାନ ପାଇଁ

ବିଶ୍ଵପାଇଁ ଗଢ଼ିଚି ସଭ୍ୟତା ଶରୀରର ଲହୁ ଚମ ଦେଇ

ଏ ଜାତି ଗାଇଚି ଗୀତ ସୁମହାନ୍ ହିମାଦ୍ରି ଶିଖରେ

ଶୁଣିଚି ଶ୍ରବଣ ପାତି ଏ ଜଗତ ଧନ୍ୟ ହୋଇଚିରେ

ଚିରଦିନ ଦେଇଚି ସେ ଖାଲି-ଦେଇ ଖାଲି ହୋଇଚି ସେ ବଡ଼

ପ୍ରତିଦାନ ଖୋଜି ନାହିଁ କେବେ-ପର ଲାଗି ବୁଲେ ଆଜି ଧଡ଼ !!

 

ତା’ ଦୁଆରେ ମରଣ ଅତିଥି, ସେଥିଲାଗି ଶ୍ରରୀର ଦେଉଚି

ଦେଶ ଯାଏ, ସମାଜ ଯାଉଚି-ତଥାପି ସେକଥା ନକହୁଚି !

ନୁହେଁ ତ ଏ ପବିତ୍ର ଆହୁତି, ଆହୁତିର ସିନା ଅପମାନ

ବଦାନ୍ୟତା ଭୁଲିଯା ଭାରତ ଧ୍ଵଂସ ପାଇଁ ଦେବାକୁ ତୁ ଦାନ !!

ତୋର ଗଢ଼ା ଇତିହାସ ଅଛି, ଅଛି ତୋର ଭୁବନ-ଈଶ୍ଵର

ତୁଇ ଆଜି ମୃତ୍ୟୁ ହାତେ ଯିବୁ, ନୁହେଁ ଦାନ, ଖାଲି ସେ ସଂହାର ।

 

ତୋର ହାତେ ଗଢ଼ିବୁ ଜଗତ-ଗଢ଼ିବାର ଦେଖିବୁ ସପନ

ଭାଙ୍ଗିବାର ସଭ୍ୟତା ବଞ୍ଚାଇ ତୋ ଆଲୋକ କରନା ମଳିନ

ସେ ଦେଶରେ ଉଦାର ହିମାଦ୍ରି, ଯେ ଦେଶରେ ଗଙ୍ଗା ବହିଯାଏ

ସେ ଦେଶରେ ଭାଙ୍ଗିବା ପ୍ରଳାପ ଯୁଗେ ଯୁଗେ କରିପାରେ କିଏ ?

 

ପୃଥିବୀର ସଉଧ ଗଢ଼ିବୁ, ବିତରିବୁ ଜାତିର ପ୍ରକାଶ

ମିତ୍ରତାର ମଧୁର ମନ୍ତ୍ରରେ ଭରାଇବୁ ଅବନୀ ଆକାଶ

ସଭ୍ୟତାକୁ ଦେବୁ ତୋରଦାନ-ଇତିହାସ ଲାଗି ଦେବୁ ବେକ

ଗଢ଼ିବାର ଯୁଗ ପାଇଁ ବୀର, ସାଜିବୁ ତୁ ଅଜେୟ ସୈନିକ !

ମରଣକୁ ବତାଇବୁ ବୁକୁ ପୋକ କୀଟ ପରି ଯିବୁ ମରି

ଅପମାନ କରନା ମୁକ୍ତି-ଭାଙ୍ଗିବାରେ ନାହିଁ ବାହାଦୂରୀ ।

 

ଦେଶେ ଆଜି ସେ ଆତଙ୍କ ଆସେ-ଘୃଣା କର-କର ନାହିଁ କ୍ଷମା

କ୍ରୂର ବ୍ୟାଘ୍ର ପରି ହତ୍ୟା କର-ତୁଟିଯିବ ଅନ୍ଧତାର ଅମା

ଏ ଧ୍ଵଂସର ଦୁର୍ଭିକ୍ଷ ଶେଷରେ ଆସିବ ଯେ ଆଲୋକ ମହାନ୍

ସେ ଆଲୋକେ ଗଢ଼ିବୁ ଜଗତ-ସେଥିଲାଗି ଦେବୁ ତୋର ଦାନ ।

୨୯-୧୦-୪୩

 

ଥିଲି ଦିନେ ଅପରିଚିତ ମୁଁ–ଆଜି ଦିଏ ପରିଚୟ ମୋର

କ୍ଳେଦକ୍ଳିଷ୍ଟ ଜଗତ ଦୁଆରେ-ତାର ଲାଗି କରେ ମୁଁ ଚିତ୍କାର

 

 

 

 

 

 

 

 

 

 

 

ଯୁଗସୃଷ୍ଟି

 

(୧)

 

କବି ଆଜି ଚିତ୍କାର କରୁଚି-

‘‘ଗରିବର ପ୍ରତିନିଧି ରୂପେ ଜଗତେ ମୁଁ ଲେଖନୀ ଧରୁଚି ।

ଯେ ସଂସାରେ ମରୁଚି ମଣିଷ ଦିନରାତି ମଶାପୋକ ପରି

ସେ ସଂସାର ଭାଙ୍ଗିବି ମୁଁ ହାତେ-କବି ମୁହିଁ ଆସିଚି ବାହାରି

ଏ ସଂସାର ସ୍ନେହର ଛଳନା

ଅଧିକାର,ସ୍ଵାର୍ଥ ଲାଭ ପାଇଁ ଏ ସଂସାର ପ୍ରେମ-ବିଡ଼ମ୍ବନା,

ଆଜି ଏ ସଂସାର ଛାଡ଼ି ଆସିଚି ବାହାରି

ମୋ ହାତରେ ନିଆଁ-ହୁଳା ନୂତନ ଯୁଗର-

ପୁରୁଣାକୁ ଦେବି ଭସ୍ମ କରି ।

କବି ଲାଗି ନୁହେଁ ଏ ସଂସାର,

ମୁକ୍ତ ପକ୍ଷୀ ଲାଗି ଏ ଯେ ବଦ୍ଧ କାରାଗାର !

‘‘ମୁକ୍ତ ମନେ ବଞ୍ଚିରହିବାକୁ ଗରିବକୁ ହୋଇଅଛି ମନା

‘ମୋର’ ବୋଲି ଭଲ ପାଇବାକୁ ଯେ ଦେଶରେ ଅଛି କଟକଣା-

ଏ ଦେଶର ବଣ ପରବତ ଦେଖିବାକୁ ମିଳେ ନା ପଇସା

ଶିଶୁ ମୁଖେ ଆହାର ଦେବାକୁ ବାପ ଖୋଜି ପାଏ ନା ବେଉସା;

ସେ ଦେଶରେ କି କରିବ କବି ?

ଉପାସର ହୁତାଶନ ଘରେ କେ ଦେଖିବ ସୌନ୍ଦର୍ଯ୍ୟର ଛବି ?

‘ସକାଳୁ ଯେ କାମ କରେ-ସଞ୍ଜେ ଫେରିଆସେ,

କେବେ ଅଧଖିଆ କେବେ ବୁଲେ ଉପବାସେ,

ସୂର୍ଯ୍ୟ ଆସେ,-ସୂର୍ଯ୍ୟ ବୁଡିଯାଏ,ଆନନ୍ଦ ସେ ପାଏ ତା’ ସକାଶେ?

ପକ୍ଷୀ ଗାଏ, ଝରଣାଟି ଯାଏ କେତେ ଶୋଭା ନାଚେ ନିତି ନିତି,

ଦିନରାତି ଖେତରେ କାହାର ଆଖିଲୁହେ ଭୂଇଁ ଯାଏ ତିନ୍ତି;

କି ଜାଣେ ସେ କଳାର ମାଧୁରୀ ?

ଭୋକ ଯେବେ ବିଦାରେ ତା ଛାତି-ଦୁଃଖ ଯେବେ ବୁକୁ ଦିଏ ଚିରି

ଦିନ ଯାଏ, ଦିନ ଆସେ ଋତୁ ପରେ ଋତୁ ଚାଲିଯାଏ

ଶୀତ ପରେ ଫଗୁଣ ପରଶେ କୋଇଲି ତା ବାରତା ଶୁଣାଏ

କି ଜାଣେ ମୋ ଗରିବ ଭାଇଟି ?

କି ନୃପତି ପାଇବ ସେଥିରୁ ପେଟ ଯାର ଜୀବନ ପାଇଟି ?

‘‘ନଦୀ ଗର୍ଜେ ନଦୀ ଗୀତ ଗାଏ,

ନଦୀ ତା’ର କୁଡିଆଟି ଭାଙ୍ଗି ପରିବାର ଅଥଳ ଭସାଏ ।

ମୁଁ ଲେଖୁଚି କଳାର ନିବନ୍ଧ, ମୁଁ ଗାଉଚି ଶାଶ୍ଵତର ଗୀତ

ନିତି ନିତି ମରେ ନର-ପଶୁ-ଗାଇବ ସେ ମୋ ଗୀତ ସହିତ ।

ଭୋକିଲା ଭାଲୁକୁ ଆଣି ନଚାଇବି ଜଗତ-ବଜାରେ

କବି ହେବ-ଗଉରବ ନେବି-କବିତାର ଗରିମା ପ୍ରଚାରେ ।

 

ଏ ଦେଶରେ ମୋ ପ୍ରେମଗୀତର ନାହିଁ ରସ-ନାହିଁ ପରିଚୟ

ଅସନ୍ତୋଷ ଉପାସ ହାଟରେ ଖାଲି ତା’ର ଅପଚୟ !

‘‘ସେଥିଲାଗି ଗରିବାର କବି ମୁଁ ସାଜିଚି

ତା’ର ଲାଗି ଦୁନିଆ ଗଢ଼ିବି-ଆଗାମୀର ମଶାଲ ଧରିଚି ।

ତା’ ଜୀବନ ପଥର ଶେଯରେ ଫୁଟାଇବି ସରସତା ଫୁଲ

ସାର୍ଥକତା ଲଭିବି ମୁଁ କବି-କବିତାର ପାଇବି ମୁଁ ମୂଲ ।

ଶୋଷଣର ଦରବାର ପାଖେ ଗରିବାର କରିବି ଚିତ୍କାର

କମ୍ପାଇବି ରାଜା ସରକାର-କବି ଆଜି କରିବ ସଂହାର ।

ନୂତନର ଦରବାର ନୂତନ ମୁଁ କରିବି ଘୋଷଣା

ଗରିବର ଯୁଗ ଆରମ୍ଭରେ କବିତା ମୁଁ ଲେଖିବି ଉନ୍ନନା-

ଗରିବର ଦରମରା ପ୍ରାଣେ ପୂର୍ଣ୍ଣତାର ପୁଲକ ଫୁଟାଇ

ମୋ କବିତା ଥରାଇବ ସବୁ-ଛୁଟିବ ସେ ହିମାଳୟ ଡେଇଁ-

ଅନ୍ଧାରରେ ଶୀର୍ଣ୍ଣ ଜୀର୍ଣ୍ଣ ଫୁଲ

ପ୍ରସ୍ପୁଟିତ ହେବରେ ସେ ଦିନ-ବିଶ୍ଵ ଯେବେ ହେବ ସମତୁଲ ।

ଅନ୍ତର ନିଃଶ୍ଵାସ ଦେଇ ଗଢ଼ିବି ମୁଁ ନିଃସ୍ଵର ଧରଣୀ

ଲେଖନୀରେ କରିବି ସମର-ସେଇ ମୋର ଜୀବନ-ସରଣୀ

ସେଥିପାଇଁ ଗଢ଼ିବାର କବି ପିନ୍ଧିଚି ମୁଁ ଭାଙ୍ଗିବାର ଭୂଷା,

ଭାଙ୍ଗିଦେବି ଜୀର୍ଣ୍ଣ ପୁରାତନ-ଆଣିବାକୁ ନୂତନର ଉଷା;

କୁହେଳିର ରାତି ଯିବ କଟି

ଯୁଗ ଯୁଗ ରାତି ପାହିଯିବ-କାଳ କାଳ ବେଡ଼ୀ ଯିବ ଫିଟି ।’’

ମୁକ୍ତିର ସଙ୍ଗୀତ ଗାଇ ଦେଶେ ଦେଶେ ମଣିଷ ଆସିଚି

ଦେଶେ ଦେଶେ ଦାସତା-ଜଞ୍ଜିର ଗୋଡ଼ ତା’ର ଛନ୍ଦିପକାଇଛି

ସେଇ ବେଡୀ ଫିଟାଇବା ପାଇଁ

କବି ଦେବ ଶରୀରର ପୂଜା-ଏ ଜଗତେ ଆସିଚି ସେ ଧାଇଁ ।

ମୁକ୍ତି ପାଇଁ କବି ଆଜି ପିନ୍ଧିଅଛି ଚିତା

ଯେଦିନ ଆସିବ ମୁକ୍ତି-ସେଇଦିନ ସାର୍ଥକ କବିତା ।

୨୬-୧୦-୪୩

 

ଏକା ଏକା ଚାଲିଚି ମୁଁ ବୋଲି ବୋଲାଏ ମୁଁ ଲୁପ୍ତ ଅନାହୂତ

ବିଜୟ ଯେ ଲୁଚିଚି ଗରଭେ ବିଶ୍ୱ ଦିନେ ନେବ ମୋର ପଥ

 

(୨)

 

କବି ହଣାମରା, ଦୁନିଆ ଭିତରେ

କିପରି ରହିବୁ ବଞ୍ଚି ସ୍ନେହ-ପ୍ରେମ-ଶିଶୁ-ହତ୍ୟା ବେଳେ ?

ପ୍ରେମ ତୁ କରିବୁ ଆଜି ଲହୁ ପାଇଁ ହୁଏ ଯେ ପାଗଳ ?

ତା’ ଉପରେ ମେଲିବୁରେ ନାଆ-ରକତରେ ପୂର୍ଣ୍ଣ ଏ ସାଗର ?

 

ଏ ସମାଜ,-ଏ ମଣିଷ ଗାଏ ଖାଲି ହତ୍ୟା ବିଭିଷିକା

ମଣିଷ ପିନ୍ଧୁଚି ଏଥି ଜାତି ନାମେ ହତ୍ୟା-ଦୋଷ ଟୀକା ।

 

ମଣିଷ ଯେ କାନ୍ଦୁଚି ପଥରେ-

କାପାଇଁ ରଚିବୁ କାବ୍ୟ-ଭାଷା କିମ୍ପା ଦେବୁ ଲେଖନୀରେ

ସମାଜ ଯାଇଚି ଖାଲି ଆଭିଜାତ୍ୟ ଗର୍ବ କରେ ଆଜି

ଆଭିଜାତ୍ୟ-ରୁଦ୍ରଚକ ତଳେ ଶାନ୍ତି ମୁକ୍ତି ପଡ଼ୁଅଛି ଭାଜି

 

ଏ ସମାଜ ନୁହଁଇ କବିର

ସୃଜନର ଆଧାର ଏ ନୁହେଁ-ହିଂସାର ଏ ଅଧମ ଶିକାର ।

ମଣିଷ ଖାଉଚି ରକ୍ତ ଛାତି ଚିରି ଆନ ମଣିଷର

ଦୁନିଆଟା ମଶାଣି ହୋଇଚି-ଶବ ପାଇଁ ଶୁଭୁଚି ଚିତ୍କାର;

 

ଯେତେ ବେଶୀ ରକ୍ତ ଯେ ପିଇବ-

ମଣିଷର ଲୁହ ଶୋଷି ମଶାଟିଙ୍କ ପରି ଯେ ବଢ଼ିବ-

ସେଇ ରାଜା ଏ ଜଗତେ-ମଣିଷକୁ ଶାସନ କରିବ ।

 

ଭଲ ପାଇ-ପର ପାଇଁ କାନ୍ଦି ଶିଖିନାହିଁ ଆଜି ଏ ଜଗତ

କି ଗାଇବୁ, ଦମ୍ଭ କରୁ କବି ? ଏ ସଂସାରରେ ହେବୁ ନିର୍ବାସିତ ।

 

ଏ ସମାଜ ପୋଡ଼ି ଯେବେ ନୂତନର ହେବ ଏଥି ପୂଜା

ସେତେବେଳେ ଗାଇବୁ ତୁ କବି-ଦୁନିଆରେ ହେବୁ ତେବେ ରାଜା ।

୨୫-୧୦-୪୩

 

(୩)

 

କବି, ନିଜେ ଆଜି ଚିତ୍କାର ନ କଲେ

ଚିହ୍ନିବେ ନାହିଁରେ କେହି-ମରିଯିବୁ ଦୁରେ ଅନ୍ତରାଳେ ।

ନିଜେ ଲହୁ ଦେଇ ଆଜି ନ ଆଣିଲେ ପ୍ରଳୟ ବତାସ

ମରାମରୁ, ଶୁଷ୍କ ଅନ୍ତରରେ ନ ଖେଳିଲେ ଜୀବନ ଉଚ୍ଛ୍ଵାସ

ମାଗିବ ନି ପରିଚୟ କେହି, କବି ! ଶେଷେ ମରିବୁ ନିରାଶ ।

ଆଜି ଯା ରହିଚି ଖାଲି ଭାଙ୍ଗି ଭାଙ୍ଗି ଅବଶିଷ୍ଟ ଅଛି

କାଲି ସେ ପଡ଼ିବ ଭାଙ୍ଗି-ସଂହାରର ରାକ୍ଷସ ଆସିଚି-

ଏ ଜଗତେ-ଏ ସମାଜେ-ତୋର ଗୀତ, ଆକୁଳ କବିତା

ମରଣରେ ଉଚ୍ଛନ୍ନ ଦୁଆର, କିଏ କବି ଶୁଣିବ ତୋ କଥା ?

ଭାଙ୍ଗିଯିବ, ଲୁଚିଯିବ ଖାଲି

ସୃଜନର କବି ରଚୁ ମୂଳଦୁଆ ଥାପି ଚରାବାଲି ?

ଏଇ ଯେ ଆସୁଚି ଧ୍ଵଂସ-କରାଳର ପ୍ରଳୟ ଗର୍ଜନେ

ଜଣାଅରେ ପ୍ରତିବାଦ ତୋର ମଥା ନତ ନକର ଚରଣେ;

ଏ ଶୋଷଣ-ଏଇ ହତ୍ୟା-ମାନିବାକୁ ନ ହୁଅ ପ୍ରସ୍ତୁତ

ଏ ସମାଜେ ମାନିନେଇ, ଗୀତ ଗାଇ ନପାରିବୁ ମୁକ୍ତ ।

 

କବି ଆଜି ଉଠାଅରେ ଆସି

ଏ ସମାଜ ଗଣ୍ଡି କାଟିଦିଅ-ଆସେ ଯିଏ ତୋ ଜଗତ ଗ୍ରାସି ।

ତୋଳ ତୋର ଯୁଦ୍ଧର ନିଶାଣ

ଖାଲି ଯୁଦ୍ଧ ଅର୍ଜୁନ-ସାରଥି-ଯୁଦ୍ଧେ ଲୁଚି ରହିଚି ଜୀବନ ।

ତୋ ପ୍ରେମରେ ବାଧା ଯିଏ ଦିଏ

ଶିଶୁଟି ହସିଲେ ତୋର-ଯିଏ ତା’ର ଲଲୁ ଶୋଷି ନିଏ,-

ତୋର ମାଆ ମରୁଚି ଯା’ ପାଇଁ

ତୋ ଦେଶେ ଆସେ ନା ସୂର୍ଯ୍ୟ-ଯେଉଁ ମେଘ ରଖିଚି ଘୋଡ଼ାଇ

ପରିଷ୍କାର କର ଶତ ବାଧା-ବିକାଶର ପଥସୃଷ୍ଟି ପାଇଁ ।

+ + +

ମରଣର ସ୍ତବ ଗାଇ ଗାଇ-ଚିର ଏଇ ମରଣ ଦେଖୁଚୁ

କହି କବି, ଲେଖନୀରେ କାହିଁ ସଞ୍ଜୀବନୀ ଭରାଇ ରଖିଚୁ ?

ଆଜି ଏଇ ସମାଜ ନ ଗଲେ

ମୂଲକର ମୂଲିଆ ଗୋଡ଼ରୁ ଦାସତ୍ଵର ବେଡ଼ୀ ନଫିଟିଲେ

କବି ନାମ ଲୁପ୍ତ ହୋଇଯିବ ନୂତନର ରୂପ ନ ଲେଖିଲେ ।

ପ୍ରେମ ନାମେ ପ୍ରେମର ଛଳନା

ମଣିଷର ଦ୍ଵାହି ଦେଇ ପଶୁ ପରି କରିବା ବଞ୍ଚନା

ହେବ ଯଦି ପଥର ପାଥେୟ-କବିତାର ମିଳିବ ପାଉଣା ?

ନୁହେଁ କବି, ବୃଥା ଅପଳାପ

ତୋ କବିତା, ଦୁନିଆଟା ଘାରେ ଅଭିଶାପ ।

ନିଜେ ଆଜି ନ କଲେ ବିପ୍ଳବ

ନୂତନର ଅଭିଷେକ ପାଇଁ ନିଜେ ନ କରିଲେ ଯୁଦ୍ଧ;

ଭାଙ୍ଗିଯିବ କବିତା-ସପନ ସରଗର ରୂପ ଅଭିନବ

କବି ଆଜି ନ କଲେ ଉଦ୍ୟମ

ଶୁଣିବନି ପଥର ଜଗତ-ସବୁ କଲେ ନିଷ୍ଠୁର ନିର୍ମମ ।

୨୫-୧୦-୧୯୪୩

 

ଯୁଗେ ଯୁଗେ ଆସିଥିଲା ମାର ପୂର୍ବ-ଆତ୍ମା, ଗୀତ ଗାଇଗଲା

ବିଶ୍ୱଦାଣ୍ଡ କୋଳାହଳ-ହାଟେ ଚିହ୍ନିଲା କେ-କେ ଉପେକ୍ଷା କଲା ।

 

(୪)

 

ଜୀବନଯାଉଚି କବି ଲେଖନୀରେ ବାନ୍ଧ ତୋର ବନ୍ଧ

ଜୀବନର ସ୍ରୋତ ଅଟକାଇ ଗଢ଼ କବି ନୂତନ ଛାନ୍ଦ

ମରଣ ଗରଜେ ଦ୍ଵାରେ କବି ଆଜି ଉଠାଅରେ ଖଡ୍‍ଗ

ନୂତନର ଦୀପ୍ତ ନିଆଁଜାଳି-ଆଣ କବି ଆଲୋକ ଆଗେଇ ।

ତେଜି ଆଜି ପ୍ରେମମସୀ କର କବି ବିପ୍ଲବ ଚିତ୍କାର

ବିପ୍ଳବ ଆସିଚି କବି-ହେ ସୈନିକ ! ହୁଅ ତୁ ବାହାର,

ଗଢ଼ିବାପାଇଁ ଭାଙ୍ଗିବୁ-ଏ ଦେଶର ପୁରାତନ ଯେତେ

ପ୍ରଗତି ରୋଧୁଅଛି ଯିଏ ଦଳି ଦେବୁ ତୋ’ର ରୁଦ୍ର ହାତେ ।

କବି ତୁ ନୋହୁରେ କ୍ଷୁଦ୍ର-ତୋ’ଅନ୍ତରେ ରୁଦ୍ରର ପିପାସା

ନିଜର ସଂଗୀତ ଗାଇ ନୂତନର କରିବୁ ମୀମାଂସା

ସଭ୍ୟତା ଗଢ଼ିଚୁ ତୁଇ-ଦୁନିଆକୁ ଦେଇଚୁ ମନ୍ତର

ଦୁନିଆ ଯାଇଛି ଭାଙ୍ଗି, କବି ଯେବେ ହୋଇଚୁ ଅନ୍ତର ।

କବିକୁ ଦୁନିଆ ଭୁଲି ଶିଖିଚି ସେ ମଣିଷର ହତ୍ୟା

କବି ନଆସିବ ଯଦି ଧ୍ଵଂସ ହେବ ସମାଜର ସତ୍ତା

କବି ଆବିର୍ଭାବ ଆଜି ହସାଇବ-ଆଣିବ ନବୀନ

ପ୍ରଳୟର ବିଷ-ବାତ୍ୟାଶେଷେ-ଲୁପ୍ତ ହେବ ଜର୍ଜର ପ୍ରାଚୀନ

ସାଧନା କରରେ କବି-ହାତେ ତୋର ଗଢ଼ିବୁ ଏ ଯୁଗ

ମଣିଷ ବିବେକ ଗଢ଼ି-ସମତାର ଭରି ରୂପରାଗ

ସାମ୍ୟ-ମୈନ୍ତ୍ରୀ-ମୁକ୍ତି ପାଇଁ ସାଜରେ ସୈନି

ଗାଇବୁ-ରକତ ଦେବୁ-ସେଥିଲାଗି ସାଜିବୁ ଭିକ୍ଷୁକ !!

୨୯-୧୦-୪୩

 

(୫)

 

କବି ତୁ ଯେ ପ୍ରଳୟର ରାଜା,

ପ୍ରଳୟେ ଗଢ଼ିବୁ ବିଶ୍ଵ-ଉଡ଼ାଇବୁ ତୋ ପ୍ରେମର ଧ୍ଵଜା ।

ଏ ଦୁଃଖୀ ଦୁନିଆ ତୋତେ ଚିହ୍ନିପାରେ ନାହିଁ

ଅନ୍ଧାର ଭିତରେ ଆଖି ଆଖି ଦେଖି ପାରେ ନାହିଁ

ସେ ଲାଗି ସେ ହତାଦର କରେ-

ତୋର ଗୀତ, ତୋର କଥା ବୁଝିପାରେ ନାହିଁ ।

ମୁକତିର ମନ୍ତ୍ର ଦେଇ ଆସିଚୁ ଜଗତେ,

ଗୀତରେ ଖେଳୁଚୁ ଖେଳ ପ୍ରଳୟ ସହିତେ,

ପ୍ରଳୟକୁ ଠାରି ଡାକୁ ଭାଙ୍ଗିବାକୁ ବୃଦ୍ଧ ପୁରାତନ

ବୃଥା ଆବର୍ଜନା ଗଲେ ରଚିବାକୁ ଜଗତ ନୂତନ ।

ପ୍ରଳୟର ଦୂତ ଆଜି ସାଜିଚୁ ସେ ପାଇଁ

ଘନ ଅନ୍ଧକାରେ ବିଶ୍ଵ ତୋ’ କବିତା ବୁଝିପାରେ ନାହିଁ ।

ଜାଣେ ନ ସେ-ଧ୍ଵଂସ ତଳେ-ମୁଂଜରୁଛି ନୀରଦ ଭବିଷ୍ୟ

ଅପେକ୍ଷା କରିଚି ପାରେ ନିର୍ନିମେଶେ ନିର୍ଯ୍ୟାତିତ ବିଶ୍ଵ;

ସମୁଦ୍ରର ଝଡ଼ ପରେ ଯେ ଶାନ୍ତି ଆସିବ,

ସେଇ ଶାନ୍ତ ଛନ୍ଦ ତଳେ କବି ତୋତେ ଜଗତ ଚିହ୍ନିବ ।

ନୂତନର ମୁକ୍ତଧାରା କବିକୁ ଯେ କରିଦେବ ବଡ଼

କବିତା ଦେବାର ମନ୍ତ୍ର ମଣିଷକୁ ବିଶ୍ଵ ରଚିବାର ।

ସେ ଦିନ ଯେ ପୂର୍ଣ୍ଣ ଅଭିଳାଷ

ସାର୍ଥକ ତୋ ମୁକ୍ତି ଅଭିଯାନ-ମୁକ୍ତି ଯେବେ ପାଇବ ମଣିଷ ।

ସେଦିନ ହସିବୁ କବି-ହୋଇବୁରେ ବଡ଼

ଯେଦିନ ଗାଇବୁ ଗୀତ ଭୁବନ ସାଗର

ସେ ଦିନ କରିବୁ ପ୍ରେମ-ପ୍ରାଣ ପୂର୍ଣ୍ଣ କରି

ସେଦିନ ହସିବ ବିଶ୍ଵ ତୋର କାବ୍ୟ ଧରି ।

କବି, ଲକ୍ଷ୍ୟ ତୋର ମହତ ମହାନ୍

ପୃଥିବୀଠୁ ବୁହତ୍ତର-ଆକାଶଠୁ ବଳି ବଳିୟାନ୍ ।

ପ୍ରଳୟ ଲଭିବ ଶାନ୍ତ-ତୋ ଗୀତର ଫଳିତ ଆଲୋକ

ଧ୍ଵଂସ-କ୍ଳାନ୍ତ ଧରଣୀର ସେଇ ହେବ ପଥପ୍ରଦର୍ଶକ ।

ଦୁନିଆ କରିବୁ ବଡ଼ ତୋ’ କବିତା ପରି

ମଣିଷ ଗାଇବ ଗୀତ ତୋର ଗୀତ ଭଳି

ଇତିହାସ ଗଢ଼ିବାକୁ ଶିଖାଇବୁ ତୁଇ ଏ ସମାଜେ

ମଣିଷ ଶିଖିବ ପ୍ରେମ-ଭଲପାଇ ଏ ସୁନ୍ଦର ରାଜ୍ୟେ ।

 

କଳ୍ପନାରେ ରୂପ ଦେଇ ଏ ଜଗତ ଗଢ଼ିଯିବୁ କବି

ଶିଖାଇବୁ ନୂତନର ଲାଗି ମଣିଷକୁ ପାରିବାକୁ ଭାବି

ସେଇଦିନ ଚିହ୍ନିବ ଜଗତ

ନୂତନର ନେତା ହେବୁ-ନୂତନର ଯୁଗ ପୁରୋହିତ ।

୩୦-୧୦-୪୩

 

ଆସୁଥିବି ଯାଉଥିବି ଖାଲି ନୂତନର ଗାଉଥିବି ଗୀତ

ନ ପାଇଚି କାମ୍ୟ ଯେତେଦିନ, ଜଡ଼ିତ ମୁଁ ଜଗତ ସହିତ

 

(୬)

 

ଦେଶଟା ଗରିବ ବୋଲି ଯଦି ନଗାଇବୁ ଗୀତ

କେହି ନଶୁଣିବେ ବୋଲି କବି ଯଦି ହେବୁ ରେ ବିରତ

କବିତାର ହେବ ଅପମାନ,

କବିତା ଗଢ଼ିଚି ଖାଲି, କବି-ପ୍ରାଣ ଚିର ବହମାନ ।

କବି ପ୍ରାଣେ ନାହିଁ ପରାଜୟ

ଅଜେୟ ଅପରାଜିତ ଏ ଜଗତେ କରିବ ଅଥୟ ।

ତା’ର ହାତେ, ତାର ଗାନେ ଗଢ଼ିବ ସେ ଦୁନିଆର ପଥ

ତା’ର ଛନ୍ଦେ ଟାଣିବ ଏ ଯୁଗେ ଯୁଗେ ଜଗତର ରଥ ।

ଆଜି ଯେ ଦଳିତ ମରେ ଅପମାନ-ମଳିନ ଦେଶରେ

କବି ତାକୁ ଦେବ ଭାଷା-ମରୁପଥ ଚାଳନା ଶେଷରେ

କବି ଖାଲି ସୃଜନର ଶିଳ୍ପୀ

‘ଭାଙ୍ଗିବ’ ‘ପରାସ୍ତ ହେବ’-ଅଭିଧାନେ ନାହିଁ ତାର ଲିପି–

ଅବିରତ ଉଦ୍ୟମରେ ଦୁନିଆକୁ ନେବ ତାର ଗାନେ

ଆଦର୍ଶର କଳ୍ପନାର ସ୍ରଷ୍ଟା ସେ ଯେ ଜଗତ ପ୍ରାଙ୍ଗଣେ,

ନାହିଁ ସୁପ୍ତି ନାହିଁରେ ବିଶ୍ରାମ,

ଗରିବ ଗରିବ ଅଛି-ନାହିଁ କବି ଜୀବନେ ବିରାମ ?

ଭୋକର ଏ ପ୍ରଦର୍ଶନୀ ଦେଖି

ଖାଲି କାନ୍ଦି-ଜଗତ କନ୍ଦାଇ-ଦୁଃଖେ କବି ମୁଦନାହିଁ ଆଖି ।

ପ୍ରିୟ ବିଶ୍ଵ ପ୍ରିୟତର କରି

କବି, ଗାନେ ଫୁଟାଇବୁ ଫୁଲ-ଏ ଜଗତ ଲାଗି ଯିବୁ ମରି ।

ଦେଶ ନାହିଁ-ଭବିଷ୍ୟ ମରୁଚି-ଜାତି ମରେ ଆହାର ନପାଇ

ଏ ବିଶ୍ଵର ଶୁଷ୍କ ଶରୀରର ହତାଶର ଖାଲି ‘ନାହିଁ’ ‘ନାହିଁ’

ଗରିଚ ଚିତ୍କାର ସାଥେ ଚିତ୍କାର ମିଳାଇ

କବି ଆଜି ଅପସରିଯିବୁ-ଫେରିଯିବୁ କହି ‘ନାହିଁ’ ‘ନାହିଁ’ ?

ଥରେ କବି କରିବ ସନ୍ଧାନ ?

ପେଷିତ କଙ୍କାଳ ତଳେ ପ୍ରତିହିଂସା କରୁଚି ଗର୍ଜନ ।

ଭୋକ ଦୁଃଖେ ପଥଧାରେ ଯେ ମଣିଷ ମରେ ହାହାକାରେ

ଜଗତ ବିରୁଦ୍ଧେ ତାର ତପ୍ତ ଆତ୍ମା ବିଦ୍ରୋହ ପ୍ରଚାରେ;

ଏ ସମାଜେ ଅହରହ ପଡ଼େ ତା’ର ତପ୍ତ ଦୀର୍ଘଶ୍ଵାସ

ବଡ଼ କ୍ଷୀଣ,ପୋଡ଼ି ପାରେ ନାହିଁ-ଧନିକର ଏଇ ଇତିହାସ ।

କବି ! ସେ ଅଗ୍ନିକୁ ଖୋଲିଚୁ ତୁ କେବେ,

ଯେ ଅଗ୍ନି ଅନ୍ତରେ ଜଳେ,ଜାତି ମରେ ଉପାସରେ ଯେବେ ?

ବସୁଧାରେ ଭରା ଖାଦ୍ୟ-ଧନ ଲାଗି ହୁଏ କେତେ ପାପ

ମରେ ଯେ ଖାଦ୍ୟ ନ ପାଇ, ଏ ଜଗତେ ଦିଏ ଅଭିଶାପ-

ନିଆଁ ହୋଇ ଜିତିବ ସେ ଯେବେ

ଯିବ ଜଳି ପ୍ରଗତିର କଣ୍ଟା ନ୍ୟସ୍ତସ୍ଵାର୍ଥ ଧ୍ଵସ୍ତ ହେବ ତେବେ ।

ସକଳ ଆଲୁଅ ସାଥେ ସେଇ ନିଆଁ ମିଳାଇଲେ ଥରେ

କବି ପୋଡ଼ି ପାରିବୁ ଜଗତ,ଅଲିଭା ସେ ନିଷ୍ଠୁର ନିଆଁରେ ।

ଯୁଗେ ଯୁଗେ ଭୋକୀ ପିଣ୍ଡୁ ଯେ ନିଆଁ ଉଠିଚି-

ଦୁନିଆ ପୋଡାଇ ଶେଷେ ନୂତନର ଶାସନ ଗଢ଼ିଚି

ହତାଶକୁ ଦେଇଚି ସେ ଆଶା

ନୂତନର ରଚନା ସକାଶେ ସେ ଦେଇଚି ବିଶ୍ଵେ ପରିଭାଷା-

ସେଇ ତୋର ବିପ୍ଳବ-ସାଧନ

ଗରିବର ଉଦର ଅଗ୍ନିରେ ବିଦ୍ରୋହର ଜଳୁଚି ଜୀବନ ।

ସେଇ ଅଗ୍ନି ଗାନେ ଗାନେ ପଥ ପରେ ଥୋଇ

ଚାଲ କବି ! ମଣିଷ ସକାଶେ-ତୋ ସପନ ସଫଳତା ପାଇଁ ।

ମରଣର ଉନ୍ମୁକ୍ତ ଫାଟକେ ଯାଉଚନ୍ତି ଯେତେକ ମଣିଷ

ଫେରାଆ ସକଳେ ଆଜି, ଗଢ଼ିବାକୁ ଅଭିନବ ବିଶ୍ଵ ।

ମଣିଷକୁ ନିତି ଯିଏ ଉପାସେ ମାରିଚି

ବାଘପରି ଗରଜି ଯେ ତା’ ତଣ୍ଟି ଚିପିଚି

ତାର ସୌଧ ପଡ଼ିବ ଭୁଷୁଡ଼ି-ଦାରିଦ୍ର୍ୟର ଅଗ୍ନି ଜଳାଇଲେ

ମଣିଷକୁ ମଣିଷ ଚିହ୍ନିବ ନବୀନ ସେ ଆଲୋକ ମୁକ୍ତିରେ

ସେଇ ମୁକ୍ତି ଶେଷ ଅଭିଯାନ

ବିଶ୍ରାମ ନାହିଁ ରେ କବି, ଉଠ ଆଜି ଦେବାକୁ ଜୀବନ

ଗରିବଠୁ ନିଆଁ ଆଣି ଗରିବକୁ ଦେଖାଅରେ ପଥ

ଭୋକ, ଦୁଃଖ ଲିଭିଯିବ-ପରିପୁର୍ଣ୍ଣ ହେବ ତୋର ବ୍ରତ

୩୦-୧୦-୪୩

 

ଜୀବନ ପାଇନାହିଁ ଜଗତ ଜାଗିନାହିଁ

କବିକୁ ଏ ମଣିଷ ନିଜର କରିନାହିଁ

ସେ ଲାଗି କବି ଆଜି ପାଗଳ ନଦୀ ସାଥେ

ପଥର ଭାଙ୍ଗିଯାଏ-କେତେ ବନ୍ଧୁର ପଥେ ।

 

(୭)

 

‘‘ଆଜି ସିନା ସବୁ ଗୀତ ହଜିଯାଏ ବୋଲି

ଜଗତରେ ବୋଲାଏ ମୁଁ କବି,

ଅତୀତରେ ଏ ଜଗତ ବୁଡ଼ିରହେ ବୋଲି

ଆଙ୍କୁଚି ମୁଁ ଆଗାମୀର ଛବି ।

ଅନ୍ଧକାରେ ଅନ୍ତରାଳେ ଜଗତ ସଢ଼ୁଚି

କବି ଗାଏ ଆଲୋକର ଗୀତ ।

ଝଟିକାର ହାହାକାରେ ହଜିଯାଏ ପଥ

ଯାତ୍ରା ସ୍ତବ୍ଧ-କାନ୍ଦୁଚି ଜଗତ ।

ମୋର ଗାନ-ମୋର ଦାନ-ଯେତେ ମୋ କବିତା

ମୂକ ସିନା ଆସିବାରେ ଶୁଣି

ମୂକ ପ୍ରାଣେ ଭରିବାକୁ ମୁଖର ମନ୍ତର

କବି ଆଜି ହୋଇଚି ଅଗ୍ରଣୀ’’

ଜୀବନରେ-ଜାଗରଣେ-ଆତଙ୍କ ଘାରିଚି

ନିର୍ଯ୍ୟାତିତ ଯେ କରେ ଚିତ୍କାର

ଖାଦ୍ୟ ନାହିଁ-ଜିଜ୍ଞାସାର ଦୁର୍ଭିକ୍ଷ ପଡ଼ିଚି

ସାଜେ କବି ପ୍ରତିନିଧି ତାର ।

ମରିଯାଏ ଏ ମଣିଷ ଅନ୍ଧାର ଗୁମ୍ଫାରେ

ମିଳେ ନାହିଁ ଅନ୍ନମୁଠା ବୋଲି

ସର୍ବହରା ଲାଗି କବି ସାଜିଚି ଭିକାରୀ

ବିଶ୍ଵଦ୍ଵାରେ ମାଗେ ବୁଲି ବୁଲି ।

ଅନାହାରେ-ଅର୍ଦ୍ଧାହାରେ ମଣିଷ ମଉଳେ

କବି ଲେଖେ ଭୋକର କବିତା

ପ୍ରାଣ ନାହିଁ-ଦେବ ପ୍ରାଣ ଏ କବି ଧାଇଁଚି

କବନ୍ଧରେ ଲଗାଇବ ମଥା ।

ରାଗ ନାହିଁ, ଛନ୍ଦ ନାହିଁ, ସ୍ପନ୍ଦନ ବିହୀନ

ଗତିପଥ-ବିଚ୍ୟୁତ ଧରଣୀ

ସର୍ବସ୍ଵାନ୍ତ ପଥଚ୍ୟୁତ ଲାଗି କବି ଗାଏ

ଗାନେ ତାର ଦେଖାଏ ସରଣୀ ।

ନାହିଁ ଆଶା ଅଭିଳାଷ-ଖାଲି ମହାକ୍ଷୁଧା

ବୁଭୁକ୍ଷାର ଶାନ୍ତ ପାଇଁ ଆଜି

ବିଶ୍ଵ କାନ୍ଦେ-କବି ଭୁଲେ ପ୍ରେମର କବିତା

ବିଶ୍ଵ ଲାଗି ଯାଏ ଅନ୍ନ ଖୋଜି ।

+ + +

କବିର ମଙ୍ଗଳ ଶଙ୍ଖ ଆବାହନ ପଛେ

ଆସିବ ଯେ ନୂତନ କଳ୍ପନା

କ୍ରନ୍ଦନରତ ଜଗତ ହସିବ-ଉଠିବ

ପରିପୂର୍ଣ୍ଣ କବିର ସାଧନା ।

ଯୁଗାନ୍ତର ଶୁଭ୍ରାଲୋକେ ପୃଥିବୀ ଭାସିବ

ଏ ମଣିଷ ରଚିବ କବିତା

ଏ ଜଗତେ ଭରିଯିବ କବିର ସମୃଦ୍ଧି

ସବୁପ୍ରାଣେ କହିବ ସେ କଥା ।

ବିଶ୍ଵମୟ ସୃଜନର କବିତା ମନ୍ତରେ

ଭବିଷ୍ୟତ ହେବ ମୁଖରିତ

ଏ ଯୁଗର କବି ମୁହଁ ନେବି ପରାଜୟ

ମିଶିଯିବି ସେ ଯୁଗ ସହିତ ।

୩୧-୧୦-୪୩

 

(୮)

 

ସାମ୍ୟ ଦେଖିବି- ମୈତ୍ରୀ ଦେଖିବି

ଭିକ୍ଷୁକ ବେଶେ ବୁଲେ

ମରଣ ଦ୍ଵାରେ ଜୀବନ ଭରି

ନାଚିବି ଆନନ୍ଦରେ

ଯିବରେ ମୋର ଜୀବନ-ଗୁରୁଭାର

ମୁକ୍ତ ଜୀବନ- ସ୍ଵସ୍ତି ଲଭିବି-

ପୋଛିବି ଶ୍ରମ ଝାଳ

ଜଗତ ଯେବେ ସକଳ ଜନ

ସାଜିବ କବି ପରି

ସ୍ଵପ୍ନ ରଚିବ ରଙ୍ଗ ମହଲ-

କବିତା ତୁଳୀ ଧରି

କେତେ ଅଜନ୍ତା ତାଜ ସେ ଯିବ ଗଢ଼ି

ଜାତି-ଯମୁନା ବ୍ୟାକୁଳ ସୁଅ

ସଙ୍ଗେ ମୁଁ ଯିବି ଚାଲି ।

ଯା’ପାଇଁ ଦିଏ କବିତା ମୋର

ଯା’ ପାଇଁ ଦେବି ରକ୍ତ

ଯା’ ଲାଗି ପ୍ରାଣ ମୂଲ୍ୟବିହୀନ-

ସାଜିଚି ଯାର ଭକ୍ତ

ତା’ ପୂର୍ଣ୍ଣ ରୂପ ଦେଖି ମୁଁ ଯିବି ମରି

ଅଭୀଷ୍ଟ ମୋର ସିଦ୍ଧ ହେବ ରେ,

ହେବି ମୁଁ ପୂର୍ଣ୍ଣଶିରୀ ।

ଯାହାରି ଲାଗି ପାଗଳ ପରି

ବୁଲୁଚି ଦ୍ଵାରେ ଦ୍ଵାରେ

ଯେ ଦିନ ସିଏ ପାଗଳ ହେବ

ନୂତନ ପ୍ରଳାପରେ

ସାଜିବି ଆଉ ପାଗଳ କାହା ପାଶେ ?

ପାଗଳ ଗୀତ ଗାଇବି କାହୁଁ

ଆଲୁଳାୟିତ ବେଶେ ?

ତପସ୍ୟା ମମ- ପ୍ରାର୍ଥନା ମମ-

ଯା’ ଲାଗି ନିଶିଦିନ

ସପନ ରାଗେ ସଜାଇ ଦେବି

ତା’ ରୂପ ଅନୁପମ

ରୂପର ବନ୍ୟା ସୁଅରେ ଯିବି ଭାସି

ନୂତନ ଦୀପ୍ତି ଉଠିବ ଭାତି

ମୋ’ ଶେଷ ଗାନେ ମିଶି ।

ଜଗତେ ଯାହା ଆପଣ ମୋର-

ଜୀବନେ ଯିଏ ଭଲ

ତା’ ଲାଗି ଯଦି ଜୀବନ ଯାଏ-

ପୂର୍ଣ୍ଣ ଜନମ ମୋର

ଗଢ଼ିବି ଖାଲି-ଗଢ଼ି ମୁଁ ଯିବି ମରି

ପ୍ରତିମା ତଳେ ଲୋଟିବି ଶେଷେ

ଶେଷ ଆଘାତ କରି ।

ଶେଷର ହସ ହସିବି ଯେବେ

ମୂର୍ତ୍ତି ଉଠିବ ହସି

ଶେଷରେ ଗାନ ଗାଇବି ଯେବେ

ଯୁଗ ଆସିବ ଭାସି

ଶେଷ ନିଶ୍ଵାସ ଅର୍ଘ୍ୟ ଦେବି ତା’ ପଦେ

ନୂତନ ପାଇଁ ମରିବି ଦିନେ

ଉଲ୍ଲାସ ଗଦଗଦେ ।

ପୁରୁଣା ନୂଆ ସଂଘର୍ଷ ଯେବେ

ହେବରେ ଶକ୍ତିତମ

ଗାଇବି ଗୀତ- ଚାଲିବି ଖଡ୍‍ଗ-

ଗର୍ଜିବି ଶତ ଭୀମ

ନୂତନ ଭାଲେ ବିଜୟ ଟୀକା ଦେଇ

ନୂତନ ପାଇଁ ରକତ ଦେବି

ଅମର ହେବା ପାଇଁ ।

ବିଦାୟ ଆଉ ଆଗମନର

ଗହନ ସନ୍ଧି ବେଳେ

ଆଗାମୀ ଶଙ୍ଖ ବାଇବି କବି

ପୁଷ୍ପିତ ରଥ ପରେ

ନୂତନ ରଥେ ସାରଥି ସାଜିବିରେ

ଦୁର୍ଗମ ପଥେ ଯିବି ମୁଁ ଅନ୍ଧ

ଅଟଳ ଆତ୍ମ ବଳେ ।

ପୁରୁଣା ସାଥି କାନ୍ଦିବି କେତେ

ପୁରୁଣା ଗଲାବେଳେ

ଶ୍ରମର ଗୁଣେ ଦେବାକୁ ବଡ଼

ସାନ୍ତ୍ଵନା ଦେବି ତାରେ

ପୁରାଣ ଯୁଗ ନ ଯିବ ଯଦି ଭୁଲି

ପୁରୁଣା ସାଥେ ଠେଲିବି ତାକୁ

ନିର୍ମମ-ଘାତ କରି ।

ନୂତନ ସାଥେ ବଞ୍ଚିବ ଯିଏ

ନୂତନ ସବୁ ନେବ

ପୁରୁଣା ଆଉ ଦଦରା ଯେତେ

ଦୂରକୁ ଫିଙ୍ଗି ଦେବ

କାମ କରିବ-ଦେଶେ ହୋଇବ ରାଜା

ନିଃସ୍ଵ ନିର୍ଦ୍ଧନ ନ ଥିବେ କେହି-

ନ ଥିବେ ରାଜା ପ୍ରଜା ।

ବସୁଧା ସାରା କରିବି ରାଜା

ନୂତନ ମନ୍ତ୍ର ଗାନେ

ଛାତିର ରକ୍ତେ ଦେବି ମୁଁ ପୂଜା

ସାମ୍ୟର ଆବାହନେ

ଜଗତ ହସେ ମିଶିବ ମୋର ହସ

ଗାଇବି ଉଚ୍ଚ- ‘ଜୀବନ ତୁଚ୍ଛ-

ବଡ଼ ଯେ ଇତିହାସ’ ।

ସମାନ ଯେବେ ହବରେ ବିଶ୍ଵ

କେ ସାନ କିଏ ବଡ଼

ମରି ମୁଁ ଗଲେ ଲିଭିବି କିରେ

ଜୀବନ-ସ୍ମୃତି ମୋର ?

ମରିଚି ଦିନେ, ମରୁଚି; ଯେ ମରିବ

ସବୁରି ଲହୁ ଆହୁତି ମିଶି

ଆସିବ ଅଭିନବ ।

୧-୧୧-୪୩

 

ଜୀବନ ସତ୍ତା କବି ଦେଖିଚି ଫୁଲେ ଫୁଲେ

ସକାଳ ସନ୍ଧ୍ୟାକାଳ ଆକାଶ ଚିତ୍ରଣରେ

ପ୍ରେମ କରିଚି ବିଶ୍ୱେ ସୌନ୍ଦର୍ଯ୍ୟ ଯେତେ ଅଛି

ଜଗତ ବୀଣା ତାରେ ଗୀତ ସେ ଭରାଇଚି ।

 

(୯)

 

ପୁରୁଣା ଭାଙ୍ଗି ଗଢ଼ିବ ନୂଆ କବି ମୁଁ ଗାଇଯାଏ

ନୂତନ ଲାଗି ସେ କୂଳ ଯିବି-ନାଆ ମୁଁ ଆଜି ବାହେ

ଏ କୂଳ ନିତି ଆକୁଳେ କାନ୍ଦେ କରାଳ ଢେଉ ଘାତେ

ବ୍ୟାକୁଳ ବିଶ୍ଵ ହରାଏ ରାହା ଝଟିକା କୁଳ ପଥେ ।

କବି ମୁଁ ଆଜି ଆଗରେ ଯିବି କଟାଇ କୁହେଳିକା

ସେ କୂଳେ ଯାଇ ଦେବତା ଆଗେ ମାଗିବି ମୋର ଭିକ୍ଷା ।

ମାଗିବି ମୁକ୍ତି-ଏ ବିଶ୍ଵ ମୁକ୍ତି- ଦଳିତ ପ୍ରାଣ ପାଇଁ

ଅନ୍ତର ଖୋଲି ଦେବି ତା’ ପଦେ ଆତୁର ଗୀତ ଗାଇ ।

ଦୁନିଆ ପାଇଁ ଆଣିବି ଯୁଗ-ନବୀନ ଯୁଗାନ୍ତର

ଦଳିତ ପାଇଁ ମାଗିବି ତାକୁ ଭାତ ବସନ ଘର ।

କାନ୍ଦରେ ମୋର କମ୍ପିବ ସିଏ କମ୍ପିବ ସିଂହାସନ

ଦରିଦ୍ର ପାଇଁ ପୂଜିବି ପୂଜା-ହୋଇବି ଭାଗ୍ୟବାନ ।

ଗୀତର ଟାଣେ ଦେବତା ପ୍ରାଣ ମାନିବ ପରାତୟ

ବିଶ୍ଵ ଜୀବନ ପ୍ରତିନିଧି ମୁଁ- କରିବି ଯୁଗ ଜୟ ।

ଫେରନ୍ତା ପଥେ ଫୁଟାଇ ପଦ୍ମ ଆଣିବି ଇତିହାସ

ମରିଚି ଯିଏ ଜୀଆଇ ତାକୁ-ଦେଖିବି ତାର ହସ ।

ଚିହ୍ନିଚି କବି ଏ ଜଗତରେ-କାନ୍ଦେ ସେ ତା’ର ଲାଗି

ଦଳିତ ପାଇଁ ସପନ ଦେଖେ-ଉଠେ ଭବିଷ୍ୟ ଜାଗି ।

ଜାଣିଚି କବି ଝଡ଼ର ଶେଷେ ପଥର ଶେଷଠାରେ

ଆଲୋକ ଅଛି-ଅମୃତ ଅଛି ସେ କୂଳ ସାମ୍ରାଜ୍ୟରେ ।

ଝଡ଼ ଗରଭେ ଡେଇଁଟି ଏକା- ଯାଉଚି ଗୀତ ଗାଇ

ବିପଦ ମୋର ସ୍ଵଜନ ସଖା ବାଧା ଯେ ମୋର ଭାଇ

ଝଡ଼ର କବି- ଝଡ ମୁଁ କାଟେ-ଏ ଝଡ଼ ପାରି ହେବି

ବିପଦ ବିଘ୍ନ ନ ମାନେ କିଛି-ସକଳ ଡେଇଁ ଯିବି ।

ସେ ପାରେ ଯେଉଁ ଆଲୋକ ରେଖା ଅନ୍ଧାରେ ଦିଶେ ନାହିଁ

ସେ ରାଜ୍ୟେ ମୋର ସରିବ ଯାତ୍ରା-ପାନ୍ଥ ସେ ରାଜ୍ୟ ପାଇଁ ।

ବାଟରେ ଯଦି ମରି ମୁଁ ଯାଏ-ଶେଷର ଗୀତ ଛନ୍ଦେ

ଦୂରର ଲକ୍ଷ୍ୟ ନିକଟ କରି ଶୋଇବି ଆତ୍ମାନନ୍ଦେ ।

ମୃତ୍ୟୁ-ଅତିଥି କରି ମୁଁ ଯିବି ଜୀବନ ସୃଷ୍ଟି ପାଇଁ

ଆଗାମୀ ବିଶ୍ଵେହେବି ମୁଁ ବଡ଼ ମରଣ ମାଗି ନେଇ ।

ଲକ୍ଷ୍ୟ ସାଧନା ଯାତ୍ରାରେ ଯଦି ଯାଏ ମୁଁ ଦିନେ ହଜି

କହିବ ବିଶ୍ଵ-ମରିଚି ମୁଇଁ ସେପାଖ ଯାତ୍ରୀ ସାଜି ।

୧-୧୧-୪୩

 

ମଣିଷ ନିତି ଆସେ-ଖୋଜି ସେ ଚାଲିଥାଏ

ସୁନ୍ଦର ପୃଥିବୀଟି ହେଜେ ସେ ଭୁଲିଯାଏ

କବିର ସମ୍ବନ୍ଧ ଯେ ଜନମେ –ଜନ୍ମାନ୍ତରେ

ବିଶ୍ୱଠୁଁ ବୃହତ୍ତର ପ୍ରେମର ସାମ୍ରାଜ୍ୟରେ ।

 

(୧୦)

 

କେତେ ଗାଇବୁ କବି କେତେ ଆଙ୍କିଚୁ ଛବି

କରିଚୁ କେତେ ଯୁଗ କଳ୍ପନା

ପ୍ରେମର ପରିଭାଷା ତିଆରି କଲୁ କେତେ

ଭାବିଲୁ କେତେ ଦୂର ଭାବନା ।

ମୂହୁର୍ତ୍ତ ସାଥେ ସାଥେ ଯୁଗ ଯାଇଚି ଚାଲି

ତୋ ପ୍ରାଣ ନ ଚିହ୍ନିଲା ପୃଥିବୀ

ମସ୍ତକ ଉଚ୍ଚ କରି ମଣିଷ ନ ଜାଣିଲା

ଅବହେଳିତ ହେଲୁ ତୁ କବି ।

ଗାଇଲୁ ଗୀତ କେତେ ଗଛ ପତର ସାଥେ

ଗଛ ପତର ଖାଲି ଶୁଖିଲା ;

ଯା ପାଇଁ ଆସିଥିଲୁ ଯା ପାଇଁ ନାଚିଥିଲୁ

ତା’ ମୁଦା କବାଟ କି ଖୋଲିଲା ?

କଳ୍ପିତ ରାଇଜର ସପନ ପ୍ରଚାରିଲୁ

ଜରା ଜର୍ଜର ଦୀନ ଦେଶରେ

ଜଗତ ଶିଖିଲା କି ତୋ ଶୋଭା ପରଶଂସି

ଯେବେ ବୁଲିବୁ ଭିକ୍ଷୁ ବେଶରେ ।

ଅନ୍ତର ଅନ୍ତରାଳେ ଯେ ଯୁଗ-ଦୀପ ଜଳେ

ଜୀବନ ପାଏ ଯେଉଁ ପ୍ରତିଭା

ସେ ଦୀପ ଜଳିଲା କି ଜଗତ ଜାଣିଲା କି

ଅନ୍ଧାରେ ସାର ସିନା କନ୍ଦିବା !

ଜଗତ ଅନ୍ଧକାରେ ଆଦର୍ଶ ହେଲୁ କବି

ପରଦେଶୀ ଦୂରର ଅତିଥି

କେ କେତେ ଗଲେ ପଛେ ନାଚିଲେ ତୋର ନାଚେ ?

କିଏ ବୁଝିଲା ତୋର ସ୍ଥପତି ?

ନୀରବେ ଦେଉଳ ତୁ ଗଢ଼ିଲୁ ହେଲୁ ସୁଖୀ

ଅଜଣା ଆଦର୍ଶ ତୁ ରହିଲୁ

ଜଗତ ନ ଜାଣିଲା ତୋର ଦେଉଳ ପୂଜା

ବିନୟ ନେଇ କବି ଚାଲିଲୁ !

ସେଇ ତିମିର ଅଛି, ସେ ରାତି ଗରଜୁଛି

ଶିଶୁ କାନ୍ଦୁଚି ମାଆ କୋଡ଼ରେ

ମଲା ମାଆର ସ୍ତନ ଆକୁଳେ ଶିଶୁ ଖାଏ

ଦୁଧ କେ ମୋ ଶିଶୁକୁ ଦେବରେ ?

ସମାଜେ ଚାଲେ ଆଜି ଶିକାର ଛକାପଞ୍ଝା

ବାଘ ଛେଳିର ଆଜି ଲଢ଼ାଇ

ଛେଳିର ପ୍ରାଣ ନେଇ ବାଘ ସମ୍ମାନ ପାଏ

ଜଗତେ କରେ ଆଜି ବଡ଼ାଇ ।

କାହିଁ କଳ୍ପନା ରାଶି ଅତୀତେ ଗଲା ଭାସି

ଉଦାସ କବି ସବୁ ନିଷ୍କ୍ରିୟ

ଗଢ଼ିବା ଛଳନାରେ ଆସି ତୁ ଚାଲିଗଲୁ

ଜିତି ରହିଲା ଧ୍ଵଂସ ବିଲୟ ।

ଯୁଗ ଯାଇଛି ବିତି ଯୁଗ ଯେ ଯିବ କଟି

ରହିଲେ କବି ଖାଲି ଆଦର୍ଶ

ତୋର କଳ୍ପନା ସାଥେ ଏକା କରିବୁ ପ୍ରେମ

ନ ପାଇ ବାସ୍ତବର ପରଶ ।

ଯାହା କରିବୁ ନିଜେ ବିଶ୍ଵ ଶିଖିବ ନାହିଁ

ବିଶ୍ଵ ମରିବ ଦୁଃଖ ଯାତନେ

ଲେଖିବୁ ଯେ କବିତା ଗଣ ବୁଝିବ ନାହିଁ

ତୋ ଗୁଣେ ନ ହସିବ ଜୀବନେ ।

ଆଜି ଓହ୍ଲାଅ କବି ଉଚ୍ଚ ସେ ସିଂହାସନୁଁ

ଅପଚିରିତ ଯାହା ଜଗତେ

ଦୁନିଆ ପାଇଁ ଗାଅ- ଯୁଗ ସରଜି ଯାଅ

ଯୁଗର ନିଦ୍ରା ନାଶି ଆଘାତେ ।

ଆଜି ସେ ଯୁଗ ଛବି ତୋ ପ୍ରାଣେ ଉଠେ ଜାଗି

ଯେ କୂଳେ ତୋ’ ନାଆଟି ଯାଉଚି

ମୂକ ମଳିନ ଜନେ ସେ କୂଳେ ନିଅ କବି

ଯେ କୂଳେ ଚିର ମୁକ୍ତ ଗାଉଚି ।

ପୂରିବ ସବୁ ପେଟ, ଯିବ ସବୁରି ଚିନ୍ତା

ବିଶ୍ଵ ଉଠିବ ହସି ସେ ଦିନ

ସେ ଦିନ ଚିହ୍ନିବ ସେ କବିର ପ୍ରକାଶକୁ

ଆଣିବ ନିଜ ପ୍ରାଣେ ପ୍ଲାବନ ।

ଭାଙ୍ଗିବା ଲାଗି ଆଉ ମଣିଷ ନଗଢ଼ିବ

ଚିର ଶାନ୍ତର ଶଙ୍ଖ ବାଜିବ

କବି ଗାଇବୁ ନାଚି କବିତାଝରା ବିଞ୍ଚି

ବାସନା ପୂର୍ଣ୍ଣ ତୋର ହୋଇବ ।

ଆସିବୁ ଯେତେ ଦିନ, ଗାଇଚୁ ଅଜ୍ଞାତରେ

ବଦଳାଇଦେ କବି ସେ ସୁର

ସମସ୍ତେ ଆସିଚନ୍ତି କବିତା ଗାଇଚନ୍ତି

ବଦଳାଇ କରତୁ ମଧୁର ।

ଲୋକର ପରିସରେ ପାଇନି ଯେ ବିସ୍ତାର

ବୃହତ୍ତମ କର ତୁ ତାହାରେ

ନକର ଇତିହାସ ପୁନରାବୃତ୍ତ ଖାଲି

ପରିମାର୍ଜିତ କରି ଲେଖରେ ।

କବି ହୋଇବୁ ବଡ଼ ଆଣି ପାରିଲେ ଝଡ଼

ପରିବର୍ତ୍ତନ ଯୁଗ ପାଇଁକି

ନିଜେ ତୁ ନାଚି ସାଥେ ଜଗତ ନଚାଇବୁ

ଅଖିଳ ବିଶ୍ଵ ଉଠିବ ଝଟକି ।

୨-୧୧-୪୩

 

(୧୧)

 

ଇର୍ଷାରେ ହସିଚି ଯେ ଧ୍ଵଂସରେ ନାଚିଛି ଯେ

ଦୁନିଆ ଗାଇଚି ତା’ ପ୍ରଶସ୍ତି

ପଶୁ ଯେ ବଳୀୟାନ୍ ବିଶ୍ଵେ ସେ ଭାଗ୍ୟବାନ

ଦୁନିଆଠାରୁ ନେଲା ଭକତି ।

ମୋ ଭାଇ କାମ କରି ଉପାସେ ଯିବ ମରି

ଦୁଃଖ ଯାତନା ସବୁ ବରିବ

କାମ ମୁଁ କରେ ନାହିଁ- ଲକ୍ଷ୍ୟମାଲିକ ମୁହିଁ

ଦୁନିଆ ମୋର ଗୁଣ ଗାଇବ ।

ମଣିଷ ମାରେ ଯିଏ ହିଂସାରେ ଗର୍ଜେ ଯିଏ

ସ୍ଵାର୍ଥ ସକାଶେ ଯିଏ ବଞ୍ଚିଚି

ସେଇ ସମ୍ମାନାସ୍ପଦ- ପାଏ ନା ଅପବାଦ

ଉଚ୍ଚତମ ଆସ୍ଥାନ ବାନ୍ଧିଚି ।

କବି ଭୁଲିଚୁ କିରେ ସ୍ଵାର୍ଥର ଝଲକରେ

କରାଳ ଧ୍ଵଂସ ପାଇଁ ଧାଇଁଚୁ

ଦେଲୁ କି ସମର୍ଥନ ତୋର ପ୍ରଣତି ଧ୍ୟାନ

ଧନୀର ଭାଟ ଆଜି ସାଜିଚୁ ।

ମଣିଷ ଲାଗି ପରା ଆଲୁଅ ଜାଳିବୁ ତୁ

ଜଗତ ନଚାଇବୁ ନୂତନେ

ମଣିଷ ମରିଯାଏ ନର-ପଶୁର ହାତେ

ସହିଯିବୁ କି କବି ମଉନେ ?

ମଉନ ଦେଶ ଯାକ ପାଟି ବାନ୍ଧିଚି ଦୁଃଖ

ମଉନ ପଥର ତୁ ଆସିଚୁ

କି ଦୁଃଖ ବୁଝିବୁରେ କି ଗୀତ ଗାଇବୁରେ

କିଏ ଶୁଣିବ ଦମ୍ଭ ବାନ୍ଧିଚୁ ?

କଥାର କାଠି ପରା ଆଣିଚୁ ତୋର ହାତେ

କଥା ଶିଖାଇବାକୁ ‘ଜଗତେ

ବିପ୍ଳବ ରାଗ ପରା ଜଡ଼ିତ ତୋ ଅନ୍ତରେ

ଭବିଷ୍ୟ ବତୀ ପରା ତୋ ହାତେ ?

ମଉନ ଦେଶେ କଥା ଶିଖାଇ ଉଚ୍ଚ ମଥା

କରିବୁ, ଗଢ଼ିବୁ ତୁ ଏ ଦେଶ

ନୂତନ ଲାଗି କବି ପ୍ରଳୟ ଯିବୁ ରଚି

ତୋ’ଠାରେ ଅଛି ଆଶା ଅଶେଷ ।

୩-୧୧-୪୩

 

ସେତେଦିନ ବଞ୍ଚିବି ମୁଁ-ଚାଲିଥିବି ଏକା

କାର ଦୁଃଖ ନ ଦହିକ ମୋତେ- ନ ବାଧିବ ପରିବାର ଶଙ୍କା ।

ଶେଷ ଯେବେ ମରିବି ବାଟରେ

ନିଶ୍ଚିନ୍ତେ ମୁଁ ନମସ୍କାର କରି ମରଣକୁ ବରିବି ଦୁଆରେ ।

ସମାଜେ-କ୍ଷେତ୍ରେ ତା’ର ବାସନା ପୂର୍ଣ୍ଣପ୍ରେମ

ପ୍ରତିଦାନ ବିହୀନ-ବାସନା ବୃଷ୍ଟି ସମ

କରିବ ପ୍ରେମଜଳେ ଶ୍ୟାମଳ ସବୁ ପ୍ରାଣ

ନମାଗି-ଭଲ ପାଇ କବି–ସେ ଭାଗ୍ୟବାନ ।

 

(୧୨)

 

ଯେ ଦିନ ଧରଣୀ ଶସ୍ୟଶ୍ୟାମଳା ଶାନ୍ତସଲିଳା ହୋଇବରେ

ଯେ ଦିନ ବିଶ୍ଵେ ମୁକ୍ତ ପବନ ଗନ୍ଧ ଗହନ ଭରିବରେ

ଯେ ଦିନ ନଦୀ ଧାଇଁବ ପାଗଳ ପରି

ବିଶ୍ଵ ଦୁଆରେ ଶେଷର ଗୀତ ଗାଇ ମୁଁ ଯିବ ମରି ।

ଯେ ଯୁଗେ ମାନବ ହିମାଦ୍ରିପରି ଶୂନ୍ୟେ ପ୍ରଶାନ୍ତ ସାଜିବରେ

ଯେ ଯୁଗେ ସମାଜ ସାମ୍ୟର ତାନେ ରମ୍ୟ ଲୀଳାରେ ନାଚିବରେ

ସେ ଦିନ ଶେଷ କବିର ଅଭିଯାନ

ପୂର୍ଣ୍ଣ କାମନା-ସିଦ୍ଧ ବାସନା-ମରିବ ଦ୍ଵିଧାହୀନ ।

ନକାନ୍ଦିବ କେହିମୋ’ ପାଇଁ ‘ସ୍ୱାମୀ’ ଅବା ‘ବାପା ବାପା’ ବୋଲି

ଯାଏ ଆଜି ଏକାକୀ ପଥିକ-ସେ ଦିନ ମୁଁ ଏକା ଯିବି ଢଳି

ଆସିଥିଲି ଆଲୁଅ ଜଳାଇ- ଗଢ଼ିଥିଲା ସୁଖ ପରିବାର

ଚାଲିଯିବି ଲୁହ ଢାଳି ଏକା-ଯେବେ ଭାଙ୍ଗିପଡ଼ିବ ସଂସାର–

କବି ଆଜି ଭରାଅ ଶକତି ବିଶ୍ୱପ୍ରାଣେ ବନ୍ଧନ ବିହୀନ

ପ୍ରଗତିର ବାଧା ଭାଙ୍ଗିପଡ଼ୁ, ମରିଯାଉ ଜର୍ଜର ପ୍ରାଚୀନ

ମରିବ ତ, ମରୁଅଛି ନିତି ପଳେ ପଳେ ପ୍ରାଚୀନ ପୃଥିବୀ

ସମୂଳେ ଭାଙ୍ଗିଦେ କବି-ଲେଖିବାକୁ ତୋ ନୂତନ ଛବି ।

 

(୧୩)

 

ନାଚିବ ଦେଶ-ମୋ ଦେଶ ସାଥେ ନାଚିବ ବିଶ୍ଵସାରା

ନାଚିବ ଶ୍ରମୀ ଜଗତସାରା-ନାଚିବ ଚନ୍ଦ୍ର ତାରା

ସେଇ ଦୂରର ଭବିଷ୍ୟ ପାଇଁ ଲେଖନୀ ମୋର ଥରେ

ଗାଉଚି ଯାହା ହେବି ମୁଁ ଧନ୍ୟ ଫୁଟାଇ ବାସ୍ତବରେ ।

ଦେଖିଚି ଆଖି ଥରୁଚି ଖାଲି ଦୁନିଆ ସର୍ବନାଶ

ମଣିଷ ଚିହ୍ନି ଦେଖିଲି ଖାଲି ଶୋଷଣ-ଦୁଃଖ-ଦାସ

ପ୍ରେମର ଗୀତ ଗାଇବି ବୋଲି ଦମ୍ଭ ମୁଁ ବାନ୍ଧିଥିଲି

ପ୍ରେମର ନିତି ହେଉଚି ହତ୍ୟା-ସବୁ ଯେ ହତଶିରୀ ।

ଗରିବ ପାଇଁ କବିତା ରଚେ-ଭିକାରି ଦେଖି ଭୁଲେ

ଉପାସୀ ପିଲା ଦେଖିଲେ ଖେଦ-ଚିତ୍କାର କେତେ କରେ

ଦରିଦ୍ର ଆଉ ଧନୀ ସମାଜ ମିଶାଇ ପାରେ ନାହିଁ

ଗୋଟାଏ ହାତେ ଶାସନ କଲ-ଆନର ଆଶ୍ରା ନାହିଁ ।

କାନ୍ଦିଚି ଯେତେ ଭାବିଚି ସେତେ କରିଚି ସମାଧାନ

ପାଚେରୀ ଭାଙ୍ଗି ଗରିବ ଧନୀ କରିବି ଏକାପ୍ରାଣ

ନଇଁବ ଶିର ସମାଜେ ଆଜି କରେ ଯେ ଆସ୍ଫାଳନ

ଉଠିବ ସିଏ କାତରେ ଯିଏ ଡାକୁଚି ‘ଭଗବାନ’ ।

ଦେଶ ଦେଶରେ ଗାଇବି ଗୀତ ଶ୍ରମର ପୂଜାପାଇଁ

ଯେ ପୂଜା ଦେଲେ ପଥର ମୃର୍ତ୍ତି ଦେଉଳ ଯିବ ନଇଁ

୫-୧୧-୪୩

 

(୧୪)

 

ଦେଶର ଏ ଶିଥିଳତା ତଳେ

ନିର୍ଯ୍ୟାତନା ଦୁଃଖ ଗରଭରେ

ଦେଖିବି ମୁଁ ଆଲୋକର ରେଖା-

ସେ ଉଦ୍ଦେଶ୍ୟେ କବି ଆଜି ଚାଲେ ।

ଜାଣିଚି ମୁଁ, ଏ ଅନ୍ଧାର ଏ ରାତ୍ରି ତୁଟିବ

ପ୍ରଥମ ଆଲୋକ ରଶ୍ମି ପରି ବ୍ୟାପ୍ତି ପୂର୍ଣ୍ଣତା ପାଇବ ।

ପଶିବ ସେ ଦ୍ଵାରେ ଦ୍ଵାରେ-ଅନ୍ଧକାର ଅନ୍ତରେ ଅନ୍ତରେ

ଅଜ୍ଞାତେ ଯାଏ ଯେ ମରି-ସ୍ପନ୍ଦନ ତା’ ଜାଗିବ ପ୍ରାଣରେ ।

ଦେଖିଚି ମୁଁ ନୂତନର ସ୍ଵପ୍ନ,

ବତାସର ଉଚ୍ଛନ୍ନ ବେଲାରେ ପାଇଚି ମୁଁ ପ୍ରଶାନ୍ତର ରତ୍ନ;

ଭଙ୍ଗାପର୍ବ ସ୍ତୂପ ତଳୁ ସାଇତିଚି ଯୁଗର ଜୀବନ

ପ୍ରଳୟ ପଛରୁ କାର ଶୁଣିଚି ମୁଁ ଭୀମ ଶଙ୍ଖସ୍ଵନ

ଭୋକ ତଳେ ବିପ୍ଲବ ଦେଖିଚି

ସେଥିପାଇଁ ଧରିଚି ପତାକା-ନୂତନର ଅପଥ ବରିଚି ।

 

ସଂକୀର୍ଣ୍ଣ ଜୀବତ ଆଜି କରାଇବ ପ୍ରଶସ୍ତ

ବିସ୍ତାରର ଛବି-ଗୀତ ଗାଇ ମୃତପ୍ରାଣ କରିବି ଜାଗ୍ରତ

ଯିବ କ୍ଳାନ୍ତି ଅବସାଦ-ରାତି ଯିବ ତୁଟି

ମରୁର ନିର୍ମମ ପ୍ରାଣେ ସୁରଭି ଭରିବ-ପ୍ରଭାତର ଶେଫାଳିକା ଫୁଟି

୫-୧୧-୪୩

 

(୧୫)

 

ଚିରଦିନ ଗାଇବି ମୁଁ ଖାଲି କେହି ନ କରୁ ବିଶ୍ଵାସ

ବିଶ୍ଵଦାଣ୍ଡେ କହି ମୁଁ ବୁଲିବି-‘ଆସିଥିଲି ଆଗାମୀ ମଣିଷ’

ଦ୍ଵାରେ ଦ୍ଵାରେ ମାଗୁଥିବି ଭିକ୍ଷା ଆଗାମୀର ପାଥେୟ ପାଇଁକି

ନୂତନର ପଥ ସଜାଇଛି ନୂଆ ନୂଆ କେତେ ଚିତ୍ର ଆଙ୍କି ।

ଅନାଗତ କଥା କହେ ବୋଲି ଏ ମଣିଷ ବୁଝେ ନାହିଁ ମୋତେ

କରେ ବୋଲି ଅଶ୍ରୁତ ଘୋଷଣା ପାଏ ନାହିଁ ସ୍ଥାନ ଏ ଜଗତେ

ଯାର ପାଇଁ ଧରେ ଭିକ୍ଷାଝୁଲି ଶେ ଯେ ମୋତେ ଚିହ୍ନି ନପାରିଲା ।

କହେ ଯାର ଅନ୍ତରର କଥା-ସେ ମଣିଷ ବୁଝି ନ ପାରିଲା ।

ଯୁଗେ ଯୁଗେ ନୂତନ ଆସିଚି ଏଇପରି ଅନାଗତ ରୂପେ

ଶୁଣାଇଚି ଅଶ୍ରୁତ କାହାଣୀ, ମଜାଇଚି ଅନଭ୍ୟସ୍ତ ଧୂପେ

ତଥାପି ସେ ନୂତନ ରହିଚି ପ୍ରାଚୀନର ମୃତ୍ୟୁ-ଗୀତ ଗାଇ

ଅଜ୍ଞାତ ମୁଁ ଅତିଥି ଆସିଚି ଶେ ନୂତନ ଯୁଗ ସୃଷ୍ଟି ପାଇଁ ।

ଯେତିକି ମୁଁ ଗାଉଚି ସଂଗୀତ ସେତିକି ଏ ଦୁନିଆ ଭୁଲିଚି

ଯେତିକି ମୁଁ ଚିତ୍କାର କରୁଚି-କେତେ କିଏ ବିଦ୍ରୂପ କରୁଚି

ଆତଙ୍କେ କେ ଲୁଚି ପଳାଉଚି-ମିଶେ ନାହିଁ ମୋର ଅଭିଯାନେ

ଶିଖେ ନାହିଁ ନୂତନର ଗୀତ-ଭବିଷ୍ୟର ଯୁଗ ଆବାହନେ ।

ଥିଲି ଦିନେ ଅପରିଚିତ ମୁଁ-ଆଜି ଦିଏ ପରିଚୟ ମୋର

କ୍ଳେଦକ୍ଳିଷ୍ଟ ଜଗତ ଦୁଆରେ-ତାର ଲାଗି କରେ ମୁଁ ଚିତ୍କାର

ସଂହାରର ଯୁଗେ ମୁଁ ଉଚ୍ଚାରେ ମହାବାଣୀ ପ୍ରତିସଂହାରର

ହିଂସା ଯେବେ ଗର୍ଜନ କରୁଚି-ପ୍ରତିହିଂସା ଗରଜେ ମୋହର ।

ଏକା ଏକା ଚାଲିଚି ମୁଁ ବୋଲି ବୋଲାଏ ମୁଁ ଲୁପ୍ତ ଅନାହୂତି

ବିଜୟ ଯେ ଲୁଚିଚି ଗରଭେ ବିଶ୍ଵ ଦିନେ ନେବ ମୋର ପଥ

ପରାଜୟ-ତିକ୍ତଅଭିଜ୍ଞତା-ଉଦାସୀନ ନିଷ୍ପ୍ରଭ ଚାହାଣୀ

ବିଜୟର ଗଢ଼ିବ ଅଟ୍ଟାଳୀ-ପୂର୍ଣ୍ଣକାମ ହେବ ମର୍ମବାଣୀ ।

ଯେଉଁ ଦିନ ବିଜୟ ଆସିବ ପଥ କେହି ନ ପାରିବ ରୋଧି

ସବୁ ଭାଙ୍ଗି ପଡ଼ିବ ଯେ’ ପଥେ-ଧାଇଁବ ଏ ବହମାନ ନଦୀ

ନଦୀପରି ଲୁଚିଚି କନ୍ଦରେ,-ସେ ଲାଗି ଏ ଜଗତ ଜାଣେ ନା

କାରା ଭାଙ୍ଗି ଉଛୁଳିବ ଦିନେ-ଆଗେ ଯିବ, କରିବ ଉନ୍ମନା ।

ଜର ଜର ବେଦନା ଅନ୍ତର-ପିପାସିତ ଶୁଷ୍କ ମରୁ ପରି

ଶବ୍ଦହୀନ ଅଭିଯୋଗହୀନ ଏ ସମାଜ ରହିଚିରେ ପଡ଼ି

ରାଜ୍ୟଯାଏ-ଯାଏ କେତେ ରାଜା-ଭଙ୍ଗାତାର ମେରୁଦଣ୍ଡ ପରେ

ନାହିଁ ତାର ତିଳେ ଉଦ୍‍ବିଗ୍ନତା, ପ୍ରାଣ ଦେଇ ଅପମାନ ବରେ

ପ୍ରାଚୀନର କୂପେ ସଢ଼ି ସଢ଼ି ନୂତନକୁ ଯାଇଅଛି ଭୁଲି

ଆଲୋକକୁ ଦେଇଚି, ପାସୋରି ଘାରିଚି ଯେ ଗଭୀର କୁହେଳି

ସେଥିଲାଗି ଆଲୋକ ନ ଚିହ୍ନେ ଅନ୍ଧାରର ଦରମରା ପ୍ରାଣୀ ।

କଳ୍ପନାରେ ରହିଚି ମୋ କଥା, ଯୁଗ ଯୁଗ ଅଶ୍ରୁତ ମୋ ବାଣୀ ।

ଯା’ର ହୋଇ ନାହିଁ ଦେଶ, ଘର-ଭାତ ନାହିଁ-ନାହିଁ ସୁଖଶାନ୍ତି

ତା’ର ଲାଗି କାନ୍ଦେ ମୁଁ ଗୋପନେ, ଦୁଃଖ-ଅଶ୍ରୁ ରଖିଚି ସାଇତି

ଜୀବନର ସବୁ କଥା ନେଇ ଚାଲେ ଆଜି ତା’ ପତାକା ଧରି

କବି ଆଜି ସାଜିଚି ବିପ୍ଳବୀ, ପ୍ରତିନିଧି ବୋଲାଏ ତାହାରି

ପ୍ରାଣ ଦେଇ ଗଢ଼ିବି ମୁଁ ଖାଲି-ଏ ସମାଜକୁ ନ ମାଗିବି କିଛି

ମଣିଷକୁ କୋଳେ ତୋଳି ନେବି-ସେଇ ପ୍ରେମେ ପୂର୍ଣ୍ଣତା ରହିଚି ।

ଯୁଗ ଯୁଗ ନୀରବେ ଯାଇଚି-ତଥାପି ତ ପାହିନାହିଁ ରାତି

ରକତରେ ଦୁଆର ତିନ୍ତିଚି, ଯାତ୍ରା ତାର ସରିନାହିଁ ଯାତ୍ରୀ

ଯୁଗେ ଯୁଗେ ଆସିଥିଲା ମୋର ପୂର୍ବ-ଆତ୍ମା, ଗୀତ ଗାଇଗଲା

ବିଶ୍ଵଦାଣ୍ଡେ କୋଳାହଳ-ହାଟେ ଚିହ୍ନିଲା କେ-କେ ଉପେକ୍ଷା କଲା

ସତ୍ୟଶିବ ଆସିଥିଲା ଯିଏ-ତା’ର ବତୀ, ଦୀକ୍ଷା ମୁଁ ଧରିଚି

କଣ୍ଠେ ମୋର ତାର ମର୍ମବାଣୀ-ମୋ ଆଖିରେ ତା, ଲୁହ ଭରିଚି ।

ଆସୁଥିବ ଯାଉଥିବ ଖାଲି ନୂତନନର ଗାଉଥିବି ଗୀତ

ନ ପାଇଚି କାମ୍ୟ ଯେତେଦିନ, ଜଡ଼ିତ ମୁଁ ଜଗତ ସହିତ

ଆସିଛି ମୁଁ ପ୍ରତି କ୍ଷଣେ କ୍ଷଣେ ସୁପ୍ତ ପ୍ରାଣେ ଜଗାଇବା ପାଇଁ

ଗାଇଯିବି-ଦଳିତ ସମାଜେ ନେବି ଆଗେ ନୂତନତ୍ୱ ଦେଇ ।

କବିପ୍ରାଣେ ସେଇ ପୂର୍ଣ୍ଣତୃପ୍ତି-ସୃଜନରେ ପାଏ ସେ ଆନନ୍ଦ

ସଫଳ ମୁଁ ଯେ ଦିନ ସଂସାରେ ସଂଚରିବ ନୂତନର ଛନ୍ଦ

ନଦୀ ବନ ଝରଣା ସାଙ୍ଗରେ ଗଇବି ମୁଁ ମୋ ଫୁଲର ଦେଶେ

କାରା ତାଡ଼ି ଯିବ ମୁଁ ମିଳାଇ ବିପୁଳ ଏ ବିଶ୍ଵେ ଅବଶେଷେ ।

୬-୧୧-୪୩

 

କବିର ଜନ୍ମ ଏଥି ଆଗାମୀ ଦୂତ ରୂପେ

ଆଗାମୀ ପଥ ସାଜେ କୁଙ୍କୁମ ଗନ୍ଧ ଧୂପେ

ପୁରୁଣା କାନରେ ସେ ଶୁଣାଏ ନୂଆ କଥା

ନୂଆର ବେଦୀ ମୂଳେ ବଳି ଦିଏ ସେ ମଥା ।

 

(୧୬)

 

ଜୀବନ ପାଇନାହିଁ ଜଗତ ଜାଗିନାହିଁ

କରିବୁ ଏ ମଣିଷ ନିଜର କରିନାହିଁ

ସେ ଲାଗି କମ୍ବ ଆଜି ପାଗଳ ନଦୀ ସାଥେ

ପଥର ଭାଙ୍ଗି ଯାଏ-କେତେ ବନ୍ଧୁର ପଥେ ।

ଜୀବନ ସତ୍ତା କବି ଦେଖିଚି ଫୁଲେ ଫୁଲେ

ସକାଳ ସନ୍ଧ୍ୟାକାଳ ଆକାଶ ଚିତ୍ରଣରେ

ପ୍ରେମ କରିଚି ବିଶ୍ଵେ ସୌନ୍ଦର୍ଯ୍ୟ ଯେତେ ଅଛି

ଜଗତ ବୀଣା ତାରେ ଗୀତ ସେ ଭରାଇବ ।

କବିର ଜନ୍ମ ଏଥି ଆଗାମୀ ଦୁତ ରୁପେ

ଆଗାମୀ ପଥ ସାଜେ କୁଙ୍କୁମ ଗନ୍ଧ ଧୂପେ

ପୁରୁଣା କାନରେ ସେ ଶୁଣାଏ ନୂଆ କଥା

ନୂଆର ବେଦୀ ମୂଳେ ବଳି ଦିଏ ସେ ମଥା ।

ମଣିଷ ନିତି ଆସେ-ଖୋଳି ସେ ଚାଲିଯାଏ

ସୁନ୍ଦର ପୃଥିବୀଟି ହେଲେ ସେ ଭୁଲିଯାଏ

କବିର ସମ୍ବଦ୍ଧ ଯେ ଜନମେ-ଜନ୍ମାନ୍ତରେ

ବିଶ୍ଵଠୁଁ ବୃହତ୍ତର ପ୍ରେମର ସାମ୍ରାଜ୍ୟରେ ।

ସମାଜେ-କ୍ଷେତ୍ରେ ତା’ର ବାସନା ପୂର୍ଣ୍ଣପ୍ରେମ

ପ୍ରତିଦାନ ବିହୀନ-ବାସନା ବୃଷ୍ଟି ସମ

କରିବ ପ୍ରେମଜଳେ ଶ୍ୟାମଳ ସବୁ ପ୍ରାଣ

ନମାଗି-ଭଲ ପାଇ କବି-ସେ ଭାଗ୍ୟବାନ ।

୭-୧୧-୪୩

 

(୧୭)

 

ଶ୍ରାବଣର ବାରିଧାରା ସମ ଆଣ କବି ପ୍ରଳୟ ଅସରା

ଧୋଇଯାଉ ଆବର୍ଜନା ଯେତେ-ହଳାହଳ ବିଷର ପସରା

ଭୀଷଣ ଏ ମେଘମାଳା ପରି କର କବି ପ୍ରଳୟ ଗର୍ଜନ

ନୂତନର ଅଭିଷେକ ପାଇଁ ଭାଙ୍ଗିପଡ଼ୁ ମୁମୂର୍ଷୁ ପ୍ରାଚୀନ ।

ମେଘ ଆସେ ସଂହାର ରୂପରେ ଗର୍ଭେ ଧରି ସବୁଜ ସପନ

ବିଶ୍ଵ ଭାଙ୍ଗେ ବନ୍ୟା ଲହରୀରେ ଗଢ଼ିବାକୁ ସରସ ଜୀବନ

ଆସ କବି ଶିବର ତାଣ୍ଡବେ ନାଚି ଯାଅ ବୃଦ୍ଧ ଏ ସମାଜେ

ଗଢ଼ିବାର ଅବକାଶ ଆଣି-ଜରାଜୀର୍ଣ୍ଣ ଭାଙ୍ଗିପଡ଼ୁ ଲାଜେ ।

ନଦୀର ଏ ମରୁଶଯ୍ୟା ଆଜି ପୂର୍ଣ୍ଣତୋୟା, ନାଚୁଚି ଉଲ୍ଲାସେ

ମେଘ ତାରେ ଦେଇଚି ଶକତି-ଭାଙ୍ଗି ଡେଇଁ ଧାଇଁବା ସକାଶେ

ଲଂଘିବାକୁ ପାଷାଣର ବନ୍ଧ-ବନ-ପାଟ ପ୍ରତିବନ୍ଧ ଯେତେ

ସେ ଶକ୍ତିରେ ପାଗଳ ଏ ନଦୀ-ଧାଇଁଚି ସେ ଧ୍ଵଂସ କରି କେତେ ।

କବି ଆଜି ଭରାଅ ଶକତି ବିଶ୍ଵପ୍ରାଣେ ବନ୍ଧନ ବିହୀନ

ପ୍ରଗତିର ବାଧା ଭାଙ୍ଗିପଡ଼ୁ, ମରିଯାଉ ଜର୍ଜର ପ୍ରାଚୀନ

ମରିବ ତ, ମରୁଅଛି ନିତି ପଳେ ପଳେ ପ୍ରାଚୀନ ପୃଥିବୀ

ସମୂଳେ ଭାଙ୍ଗି ଦେ କବି-ଲେଖିବାକୁ ତୋ ନୂତନ ଛବି ।

ନଦୀପରି କର ତୁ ପାଗଳ ଜଗତକୁ ତାଣ୍ଡବ ବିକ୍ରମେ

ଅନ୍ଧପରି ଆଗକୁ ସେ ଧାଇଁ ଭବିଷ୍ୟର ସ୍ଵପନେ ସ୍ମରଣେ

ଆଣ କବି କବିତାର ବନ୍ୟ-ସଂହାରର ଶ୍ରାବଣ ଧାରାରେ

ଭାଙ୍ଗି କବି ଅମର ହୋଇବୁ-ମରିବୁ ତୁ ନୂତନ ଧରାରେ ।

୩୧-୧୦-୪୩

 

(୧୮)

 

ଶ୍ରାବଣ ନିଶିଥର ପୂର୍ଣ୍ଣ ତଟିନୀ ତୁମେ

ଚୂର୍ଣ୍ଣ କରିବ ପରା ବନ୍ଧ ଗୋ

ଆସିଚି ପାନ୍ଥ-କବି ସାହସେ ତରିବାକୁ

ତରିବା ଲାଗି ଆଜି ଅନ୍ଧ ଗୋ ।

ଦିନେ ପାଗଳ ହୋଇ ବନ ପର୍ବତ ଡେଇଁ

ପାଷାଣ କାରା ଡେଇଁଥିଲଟି

ତୁମରି ପାଇ ଆଜି ସାଜିଚି ପାଗଳ ମୁଁ

ବନ୍ଧନ ବାଡ଼ ଡେଇଁ ଯିବଟି ।

ପ୍ରଳୟତର କର ଘୂର୍ଣ୍ଣି ବତାସ ଝଡ଼

ଗରଜ ଭୟଙ୍କରେ ଲହରୀ

ଡରେ ନା ଯୁବକ ମୁଁ-ବିଜୟ-ପଥ ପାନ୍ଥ

ଯିବି ମୁଁ ତରୀ ବାହି ସେପାରି ।

ଏଇ ବତାସ ତଳେ ସେପାରି ଲୁଚିଛି ରେ

ଉଚ୍ଛନ୍ନ ଉର୍ମିମାଳା ସେ ପାଖେ

ପାରି ମୁଁ ହେବି ଆଜି ଆସିଚି ଅନ୍ଧ ହୋଇ

ପାଗଳ ହୋଇଚି ସେ ଆଲୋକ ।

ଅନ୍ଧାର ତଳେ ଲୁଚି ରହିଚି ସେ ଆଲୋକ

ଝଡ଼ ବତାସେ ଦିଶେ ନାହିଁ ଗୋ

ଏ ଝଡ଼ ପାରି ହୋଇ ଯିବି ମୁଁ ସେଇ ଦେଶେ

ସେଇ ଆଲୋକ-ଗୀତ ଗାଇ ଗୋ ।

୬-୧୧-୪୩

 

(୧୯)

 

ବିଜୁଳି ସାଥେ ଗଇବି ଗୀତ ବଉଦ ଭାଲେ ଯେ ଦିନ ଯିବ ମିଶି

ସେ ଦିନ ସତେ ପୂର୍ଣ୍ଣକାମ-ଆଲୋକ କଣା ଝରିବ ରାଶି ରାଶି

ତୁମରି ମନ୍ତ୍ର ଗାଇଚି ବର୍ଷା ଶ୍ରାବଣ ରାତି ଗଭୀର ଅନ୍ଧକାରେ

ଦୁନିଆ କିଛି ନ ପାରେ ବୁଝି-ଶ୍ରାନ୍ତ ପଥିକ ଆକୁଳେ ଖାଲି ମରେ

ବୁଝିଚି କବି ତୁମରି ଗୀତ-ଶିଖିଚି ତାକୁ ବଜାଇ ତା ବୀଣାରେ

ମେଘର ସାଥେ ଯିବାକୁ ମିଶି ଆକାଂକ୍ଷାତାର ଭୁବନମୟ ଘାରେ

ଚିର ମୁଁ ବସି ତୁମରି ଗୀତ ଗାଉଚି ବନ୍ଧୁ ଅଶ୍ରାନ୍ତ ଆଗ୍ରହରେ

ତୁମରି କଥା କହେ ମୁଁ ଆଜି-ଭସାଏ ଧରା କବିତା ପ୍ରବାହରେ

ଦୁନିଆ ପ୍ରାଣୁଁ ନୁହେଁ ମୁଁ ଭିନ୍ନ ଆସିଚି ଖାଲି ଜଗତେ ଭଲପାଇ

ତୁମରି ଲାଗି ବାଢ଼ିଚି ପୂଜା-ଜୀବନ ଦ୍ଵାରେ ଅର୍ଚ୍ଚନାଗୀତ ଗାଇ

ମସ୍ତକ ମୋର ଉଚ୍ଚ କରିଚି କବିତାରେ ମୁଁ ଭରିଚି ଉନ୍ମାଦନା

ତୁମରି ପାଇଁ କାନ୍ଦିଚି ସାଥି ପାଇବି ବୋଲି ତୁମଠୁ ଆଶ୍ଵାସନା

ଜଗତେ ଖାଲି ଭଲ ପାଇବା କରିଚି ଆଜି ଜୀବନଠାରୁ ବଡ଼

ଜଗତ ଲାଗି ଡେଇଁବି ଆଜି ଗଭୀର ରାତି, ସାଗର, ଝଞ୍ଜା ଝଡ଼ ।

ନିଜର ପାଇଁ ନାଶିବ ନାହିଁ ଦୁନିଆ ଦ୍ଵାରେ ଢାଳିଚି ‘ଯେତେ ପ୍ରେମ

ମରଣ ପାଇଁ ହଟିବ ନାହିଁ ଭୁଲିବି ନାହିଁ ଚିର କର୍ତ୍ତବ୍ୟ ମମ

ତୁମରି ଡ଼ାକ ଆସିବ ଯେବେ ଏ ପ୍ରେମ ରାଜ୍ୟୁ ବିଦାୟ ନେବି ସାଥୀ

ତୁମରି ଦିଆ କବିତା ଗାଇ ଅଖେଦ ମନେ ଯିବି ମୁଁ ତୁମ କତି ।

୩୧-୧୦-୮୩

 

ଚିରଦିନ ଗାଇବି ମୁଁ ଖାଲି କେହି ପଛେ ନ କରୁ ବିଶ୍ୱାସ

ବିଶ୍ୱଦାଣ୍ଡେ କହି ମୁଁ ବୁଲିବି- ‘ଆସିଥିଲି ଆଗାମୀ ମଣିଷ’

ଦ୍ୱାରେ ଦ୍ୱାରେ ମାଗୁଥିବି ଭିକ୍ଷା ଆଗାମୀର ପାଥେୟ ପାଇଁକି

ନୂତନର ପଥ ସଜାଇବି ନୂଆ ନୂଆ କେତେ ଚିତ୍ର ଆଙ୍କି ।

ଯୁଗେ ଯୁଗେ ଆସିଥିଲା ମୋର ପୂର୍ବ ଆତ୍ମା, ଗୀତ ଗାଇଗଲା

ବିଶ୍ୱଦାଣ୍ଡ କୋଳାହଳ-ହାଟେ ଚିହ୍ନିଲାକେ - କେ ଉପେକ୍ଷା କଲା ।

ଅନାଗତ କଥା କହେ ବୋଲି ଏ ମଣିଷ ବୁଝେନାହିଁ ମତେ

କରେ ବୋଲି ଅଶ୍ରୁତ ଘୋଷଣା ପାଏ ନାହିଁ ସ୍ଥାନ ଏ ଜଗତେ,

ଯାର ପାଇଁ ଧରେ ଭିକ୍ଷା ଝୁଲି ସେ ଯେ ମୋତେ ଚିହ୍ନି ନ ପାରିଲା

କହେ ଯାର ଅନ୍ତରର କଥା–ସେ ମଣିଷ ବୁଝି ନ ପାରିଲା ।

ଆସୁଥିବି ଯାଉଥିବି ଖାଲି ନୂତନ ର ଗାଉଥିବି ଗୀତ

ନ ପାଇଛି କାମ୍ୟ ଯେତେଦିନ, ଜଡ଼ିତ ମୁଁ ଜଗତ ସହିତ ।

ଦୁନିଆ ପ୍ରାଣୁ ନୁହେଁ ମୁଁ ଭିନ୍ନ ଆସିଛି ଖାଲି ଜଗତେ ଭଲ ପାଇ

ତୁମରି ଲାଗି ବାଢ଼ିଛି ପୂଜା - ଜୀବନ ଦ୍ୱାରେ ଅର୍ଚ୍ଚନା ଗୀତ ଗାଇ ।

Image